Unknown

 

 

 

 

 

 

 

 

 

 

 

ସବୁ ଦେଶର ଗପ

ଶ୍ରୀ ପ୍ରଫୁଲ୍ଲ କୁମାର ନନ୍ଦ

 

ଗଳ୍ପ ସୂଚୀ

 

୧.

ଋଷି ଓ ଭାଲୁ

୨.

ମନ୍ଦ ଭାବନାର ମନ୍ଦ ଫଳ

୩.

ପ୍ରକୃତି ବଦଳେ ନାହିଁ

୪.

ମଣିଷ ମାଙ୍କଡ଼ ହେଲା

୫.

ସ୍ଵାର୍ଥପରତାର ପରିଣାମ

୬.

କାଠୁରିଆର ଲୋଭ

୭.

ଟଙ୍କା ସୁଖ ଦିଏ ନାହିଁ

୮.

ସୁନା ଶୁଆ କଥା

୯.

ଚନ୍ଦ୍ର ମଣ୍ଡଳ କଥା

Image

 

ଋଷି ଓ ଭାଲୁ

 

ବହୁତ ଦିନ ତଳେ ରୁଷିଆର ଗୋଟିଏ ଜଙ୍ଗଲରେ ଜଣେ ଋଷି ବାସ କରୁଥିଲେ । ବଣରେ ରହି ବଣ ଫଳମୂଳ ଖାଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ତାଙ୍କର କୌଣସି ଅଭାବ ନଥିଲା । ମାତ୍ର ସବୁବେଳେ ଏକୁଟିଆ ରହୁଥିବାରୁ ତାଙ୍କ ମନରେ ଆନନ୍ଦ ନ ଥାଏ । ଦିନେ ବହୁତ ଭାବି ଭାବି ସେ ଜଣେ ସାଙ୍ଗ ଖୋଜି ବାହାରିଲେ । ସେ ଭାବିଲେ ଯେ, ଜଣେ ସାଙ୍ଗ ହେଲେ ସେ ତା ସହିତ କିଛି ସମୟ ଦୁଃଖସୁଖ ଓ ଗପସପ ହୋଇ ସମୟ କଟାଇ ଦେବେ ।

 

ବଣରେ ବୁଲି ବୁଲି ସେ ଶେଷରେ ଗୋଟିଏ ଭାଲୁକୁ ଦେଖିଲେ । ଭାଲୁକୁ ଦେଖି ସେ ବଡ଼ ଖୁସି ହୋଇଗଲେ ଏବଂ କହିଲେ, “ବନ୍ଧୁ ଭାଲୁ ! ଏ ବଣରେ ଏକୁଟିଆ ରହି ମୁଁ ବନ୍ଧୁ..ଅଭାବରେ ବଡ଼ ଦୁଃଖରେ ଦିନ କାଟିଥିଲି । ଆଜି ତୁମକୁ ପାଇ ବଡ଼ ଖୁସି ହେଲି । ଆଜିଠାରୁ ତୁମେ ମୋର ବନ୍ଧୁ ହେଲ ।” ଏହା ପରେ ସେ ଦୁହେଁ ନାନା ଖୁସି ଗପ କରି ନିଜ ନିଜ ଘରକୁ ଫେରିଲେ ।

 

ସେହିଦିନଠାରୁ ଦୁଇଜଣଙ୍କର ବନ୍ଧୁତା ଏତେ ବେଶୀ ହେଲା ଯେ ପରସ୍ପରକୁ ନ ଦେଖିଲେ ସେ କେହି ରହି ପାରିଲେ ନାହିଁ । ପ୍ରତେକଦିନ ସେ ଦୁହିଁଙ୍କର ଭେଟ ହୁଏ—ହସ ଖୁସିରେ ଦିନ କଟେ ।

 

ସବୁଦିନେ ଏକ ପ୍ରକାର କାମ ଭଲ ଲାଗେନା । ଦିନେ ଭାଲୁ କହିଲା, ‘ବନ୍ଧୁ ! ସବୁଦିନେ ତ ବସି ଗପ କରୁଛେ । ଚାଲ ଦିନେ କୁଆଡ଼େ ବୁଲି ଆସିବା । ତାହେଲେ କେତେ ଜାଗା ଦେଖିବା, କେତେ ଭଲ ଜିନିଷ ଖାଇବା ଏବଂ କେତେ ନୂଆ ବନ୍ଧୁଙ୍କୁ ମଧ୍ୟ ଭେଟିବା I ଋଷି ତ ସବୁଦିନେ ବସି ବସି ବଡ଼ ବ୍ୟସ୍ତ ହେଉଥିଲେ । ଏକଥା ଶୁଣି ସେ ବଡ଼ ଖୁସି ହୋଇଗଲେ ଏବଂ ଭାଲୁ କଥାରେ ରାଜି ହେଇଗଲେ I ତା ପରଦିନ ଯିବା ପାଇଁ ସବୁ ଠିକ ହୋଇଗଲା ।

 

ପରଦିନ ବଡ଼ି ସକାଳୁ ଭାଲୁ ଆସି ଋଷିଙ୍କ ପାଖରେ ହାଜର । ସେ ଦୁହେଁ ବୁଲି ବାହାରିଲେ । କେତେ ନଈ ନାଳ, ପାହାଡ଼ ପର୍ବତ ପାର ହୋଇ ସେମାନେ ବହୁଦୂର ଚାଲିଗଲେ । ଭାଲୁ ତ ବଡ଼ ବଳୁଆ ଏବଂ ସବୁଦିନେ ଚାଲୁଥିବାରୁ ସେ ବୁଲିବାରେ ଅଭ୍ୟସ୍ତ । ତେଣୁ ସେ ବଡ଼ ଜୋରରେ ଚାଲିଯାଉଥାଏ । ମାତ୍ର ଋଷି ତ ବସି ଈଶ୍ଵରଙ୍କୁ ପ୍ରାର୍ଥନା କରିବା ଲୋକ । ତାଙ୍କ ଦେହରେ ଏତେ ବଳ କାହିଁ ଯେ ସେ ଭାଲୁ ସାଙ୍ଗରେ ଏତେ ଜୋରରେ ଚାଲିବେ । ଏହିପରି ଭାବରେ ବହୁତ ବାଟ ଯିବା ପରେ ଭାଲୁ ଦେଖିଲା ଯେ ତାର ବନ୍ଧୁ ବହୁତ ପଛରେ ପଡ଼ିଯାଇଛନ୍ତି I ତେଣୁ ସେ ସେଠାରେ ଠିଆ ହେଲା I

 

ଋଷି ସେଠାରେ ପହଞ୍ଚିବାରୁ ଭାଲୁ କହିଲା, “ବନ୍ଧୁ ! ତୁମେ ବଡ଼ କ୍ଲାନ୍ତ ହୋଇ ପଡ଼ିଲଣି-। ଏଠାରେ ଟିକିଏ ଶୋଇପଡ଼ । ମୁଁ ତୁମ ପାଖରେ ବସି ତୁମକୁ ଜଗିଛି ।” ଏହା ଶୁଣି ଋଷି ବଡ଼ ଖୁସି ହୋଇଗଲେ । ସେତ ଏ ସୁଯୋଗ ଖୋଜୁଥିଲେ । ସେଇ ମାଟିରେ ଗଛମୂଳେ ଶୋଉ ଶୋଉ ସେ ନିଘୋଡ଼ ନିଦରେ ଶୋଇପଡ଼ିଲେ । ଭାଲୁଟି ତାଙ୍କ ପାଖରେ ବସି ଜଗିଥାଏ ।

 

ଏତିକିବେଳେ ଗୋଟିଏ ମାଛି ଉଡ଼ି ଆସି ଋଷିଙ୍କ ନାକ ଉପରେ ବସିଲା । ତହୁଁ ଭାଲୁ ତାକୁ ଘଉଡ଼ାଇ ଦେଲା । ମାତ୍ର ମାଛିଟି ପୁଣି ଉଡ଼ିଆସି ଋଷିଙ୍କ ମୁହଁରେ ବସିଲା । ଭାଲୁ ତାଙ୍କୁ ଜଗିଛି । ଯେମିତି ଦେଖିଲା ଯେ ମାଛି ପୁଣି ଆସିଲାଣି, ସେ ଭାରି ରାଗି ଯାଇ, ହାତ ହଲାଇ ପୁଣି ସେ ମାଛିକି ଘଉଡ଼ାଇ ଦେଲା । କିଛି ସମୟ ଗଲା, ମାଛିଟି ପୁଣି ଉଡ଼ିଆସି ଋଷିଙ୍କର ତାଳୁ ଉପରେ ବସିଲା । ଏହା ଦେଖି ଭାଲୁ ଭାରି ରାଗିଗଲା । ରାଗରେ ଦାନ୍ତ କଡ଼ମଡ଼ କରି ଭାଲୁ ମାଛିକି କହିଲା, “ତତେ ଯେତେ କହିଲେ ତୁ ନ ଯାଇ ମତେ ଥରକୁଥର ଆସି ହଇରାଣ କରୁଛୁ । ରହ, ତତେ ଏଥର ଠିକ କରି ଦେଉଛି ।” ଏହା କହି ସେ ପାଖରେ ପଡ଼ିଥିବା ଗୋଟିଏ ବଡ଼ ପଥର ଉଠାଇ ଆଣି ମାଛିକି ଲକ୍ଷ୍ୟକରି ପକାଇଲା । ମାଛି ସେତେବେଳକୁ ଋଷିଙ୍କର ତାଳୁରେ ବସିଥାଏ । ସେ ଓଜନିଆ ପଥରଟା ମୁଣ୍ଡରେ ପଡ଼ିବାରୁ ଋଷିଙ୍କର ମୁଣ୍ଡ ଛତୁ ହୋଇଗଲା I ଆଉ ସେ ଉଠିଲେ ନାହିଁ ।

 

ନିର୍ବୋଧ ବନ୍ଧୁଠାରୁ ସାହାଯ୍ୟ ଆଶା କରିବା ଉଚିତ ନୁହେଁ ।

Image

 

ମନ୍ଦ ଭାବନାର ମନ୍ଦ ଫଳ

 

ଆଫ୍ରିକା ମହାଦେଶର ଜଙ୍ଗଲରେ ବହୁତ ପ୍ରକାର ଜୀବଜନ୍ତୁ ବାସ କରନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ କୁକୁର ଓ ଗୋଟିଏ କୁକୁଡ଼ାଙ୍କର ଭାରି ଭଲ ପଡ଼ୁଥିଲା । ସେ ଦୁହେଁ ସାଙ୍ଗ ହୋଇ ରହନ୍ତି ସାଙ୍ଗ ହୋଇ ଖେଳନ୍ତି, ବୁଲିଯାଆନ୍ତି । ଏପରିକି ଜଣେ ଅନ୍ୟ ଜଣକୁ ନ ଭେଟିଲେ ସେ ଦିନଟି ସୁଖରେ କଟେ ନାହିଁ I

ଦିନେ କୁକୁର କହିଲା, ବନ୍ଧୁ ! ସବୁଦିନେ ଏ ବଣ ଭିତରେ ବୁଲି ବୁଲି ବଡ଼ ଖରାପ ଲାଗିଲାଣି । ଚାଲ ଅନ୍ୟ କୁଆଡ଼େ ବୁଲିଯିବା । ଏହାପରେ ସେ ଦୁହେଁ ସମଗ୍ର ପୃଥିବୀ ବୁଲିବା ପାଇଁ ସ୍ଥିର କଲେ ।

ପରଦିନ ସକାଳୁ ଦୁହେଁ ବାହାରି ପଡ଼ିଲେ । କିଛି ଦୂର ଯିବା ପରେ ସନ୍ଧ୍ୟା ହୋଇଗଲା-। ତହୁଁ କୁକୁଡ଼ା ସେଠାରେ ରାତିଟି ରହି ପରଦିନ ସକାଳୁ ଯିବା ପାଇଁ କୁକୁରକୁ କହିଲା-। କୁକୁର ତା’ କଥାରେ ରାଜି ହୋଇଗଲା ଏବଂ ଗୋଟିଏ ବଡ଼ ଗଛକୁ ଦେଖାଇ କହିଲା ବନ୍ଧୁ-! ତୁମେ ଏଇ ଗଛ ଡାଳରେ ରୁହ । ମୁଁ ଏଇ ଗଛ ତଳେ ଶୋଇ ପଡ଼ିବି ।

ଏହାପରେ କୁକୁଡ଼ା ଗଛ ଉପରକୁ ଉଡ଼ିଯାଇ ବସି ରହିଲା ଏବଂ କୁକୁର ସେ ଗଛମୂଳରେ ଶୋଇଲା । କୁକୁଡ଼ାଙ୍କ ତ ଭୋରରୁ ବୋବାଇବା ସ୍ଵଭାବ । ରାତି ପାହି ଆସିବାରୁ ଏ କୁକୁଡ଼ା ମଧ୍ୟ ଗଛ ଡାଳରେ ବସି ବୋବାଇଲା । ସେ ଗଛ ପାଖରେ ଗୋଟିଏ ବିଲୁଆ ବାସ କରୁଥିଲା । କୁକୁଡ଼ା ସ୍ଵର ଶୁଣି ତା ମନ ବଡ଼ ଖୁସ୍ । ବଡ଼ ସୁନ୍ଦର ଖାଦ୍ୟ ଆଜି ମିଳିଲା ବୋଲି ସେ ଗଛମୂଳକୁ ଗଲା ।

 

ଗଛ ମୂଳରେ ପହଞ୍ଚି ସେ ଦେଖିଲା ଯେ, କୁକୁଡ଼ା ସବୁଠାରୁ ଉଚ୍ଚ ଡାଳରେ ବସିଛି । କିପରି କୁକୁଡ଼ାକୁ ପାଇବ, ସେ କଥା ସେ ଚିନ୍ତା କରିବାକୁ ଲଗିଲା । ଏଡ଼େ ସୁନ୍ଦର ଖାଦ୍ୟକୁ ଆଗରେ ପାଇ ତା ପାଟିରୁ ନାଳ ବୋହିଲା । ଠକ ଠକ ଦାନ୍ତରେ ଦାନ୍ତ ବାଜିଲା I ଶେଷରେ ସେ ଗୋଟିଏ ଉପାୟ ସ୍ଥିର କଲା । ଗଛପାଖକୁ ଯାଇ ସେ କୁକୁଡ଼ାର ରୂପ ଗୁଣ ଓ ତାର ସ୍ଵରର ପ୍ରଶଂସା କରି ବହୁତ କଥା କହିଲା ଏବଂ ତା ସହିତ ବନ୍ଧୁତା ସ୍ଥାପନ କରିବା ପାଇଁ କହି ତଳକୁ ଆସିବାକୁ ଅନୁରୋଧ କଲେ ।

 

କୁକୁଡ଼ା ବଡ଼ ଚତୁର । ବିଲଆର ସବୁ ଚାଲାଖି ତା ଆଗରେ ଅଛପା ରହିଲା ନାହିଁ । ତହୁଁ ସେ କହିଲା ବନ୍ଧୁ ! ମୁଁ ତଳକୁ ଯାଉଛି I ଆମେ ତ ପରସ୍ପର ବନ୍ଧୁ ହେଲେ । ବର୍ତ୍ତମାନ ମୋର ପ୍ରିୟ ବନ୍ଧୁ, କୁକୁର ସେଠାରେ ଶୋଇଛନ୍ତି । ତାଙ୍କୁ ଉଠାଅ ।

 

ସେତେବେଳକୁ କୁକୁରର ନିଦ ଭାଙ୍ଗି ଯାଇଥାଏ । ସେ ଚୁପ ହୋଇ ଶୋଇ ବିଲୁଆ ଓ କୁକୁଡ଼ାର କଥା ଶୁଣୁଥାଏ । ବିଲୁଆ ଯେମିତି ତାକୁ ଉଠାଇବାକୁ ତା ପାଖକୁ ଯାଇଛି, ସେମିତି ତା ଉପରକୁ ଡେଇଁପଡ଼ି ତାକୁ ମାରିଦେଲା । ତା ପରେ କୁକୁର ଓ କୁକୁଡ଼ା ସାଙ୍ଗ ହୋଇ କେତେ ନୂଆ ଜାଗା ଦେଖି, କେତେ ନୂଆ ଜିନିଷ ଖାଇ ବୁଲି ବାହାରିଲେ । ବିଲୁଆ ପରକୁ ମାରିବାକୁ ଚିନ୍ତା କରି ନିଜେ ମଲା ।

 

ପରର ଅନିଷ୍ଟ ଚିନ୍ତା କଲେ ଆପଣାର ସର୍ବନାଶ ଘଟେ ।

Image

 

ପ୍ରକୃତି ବଦଳେ ନାହି

 

ପାଶ୍ଚାତ୍ୟ ଦେଶରେ ଜଣେ ଧନୀ ଜମିଦାରଙ୍କ ଘରେ ଗୋଟିଏ ବିରାଡ଼ି ଥିଲା । ସେ ବିରାଡ଼ିଟି ଦେଖିବାକୁ ବଡ଼ ସୁନ୍ଦର । ସେଥିପାଇଁ ଜମିଦାର ତାକୁ ଭାରି ଭଲ ପାଉଥିଲେ । ବିରାଡ଼ିଟି ମଧ୍ୟ ସବୁବେଳେ ଜମିଦାରଙ୍କ ପାଖରେ ରହିବାକୁ ଭଲ ପାଉଥିଲା । ଜମିଦାର ଖାଇଲାବେଳେ ତାକୁ ଖାଇବାକୁ ଦିଅନ୍ତି, ସେ ଖାଏ । ଜମିଦାର ବୈଠକ ଖାନାରେ ବସିଲା ବେଳେ ମଧ୍ୟ ବିରାଡ଼ିଟି ତାଙ୍କ ପାଖରେ ବସିରହେ ।

 

ଜମିଦାରଙ୍କ ସଙ୍ଗରେ ଦେଖା କରିବାକୁ ଲୋକ ଆସନ୍ତି । ଦିନେ ଜଣେ ସୁନ୍ଦର ଯୁବକ ଜମିଦାରଙ୍କ ସହିତ ଦେଖା କରିବା ପାଇଁ ଆସିଥିଲେ । ବିରାଡ଼ି ତ ସବୁବେଳେ ଜମିଦାରଙ୍କ ପାଖରେ ଥାଏ । ସେ ଯୁବକଙ୍କୁ ଦେଖି ବିରାଡ଼ି ତାଙ୍କୁ ଭଲ ପାଇଲା । ତାର ଯୁବକଙ୍କୁ ବିବାହ କରିବାକୁ ଇଛା ହେଲା । ମାତ୍ର କରେ କଣ ? ସେ ତ ବିରାଡ଼ି । ବିରାଡ଼ି ହୋଇ ମଣିଷକୁ ବିବାହ କରିବା ସମ୍ଭବ ନୁହେଁ । ତହୁଁ ସେ ବଡ଼ ବ୍ୟସ୍ତ ହେଲେ ।

 

ଦିନେ ଜମିଦାରଙ୍କ ପାଖକୁ ଜଣେ ସାଧୁ ଆସିଥିଲେ । ସେ ସାଧୁ ଗେରୁଆ ଲୁଗା ପିନ୍ଧିଥିଲେ । ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଜମିଦାରଙ୍କର କୌଣସି ପିଲାପିଲି ନ ଥିବାରୁ ସେ ବଡ଼ ଦୁଃଖରେ ଥାଆନ୍ତି । ତାଙ୍କର ଦୁଃଖ ସାଧୁଙ୍କୁ ଜଣାଇବାରୁ ସେ କହିଲେ, “ଆପଣ ଭଗବାନଙ୍କୁ ଡାକନ୍ତୁ ସେ ଆପଣଙ୍କର ଦୁଃଖ ଶୁଣିବେ ।” ଏହାପରେ ସାଧୁ ଚାଲିଗଲେ ।

 

ବିରାଡ଼ି ସାଧୁଙ୍କର ଏ ଉପଦେଶ ଶୁଣିଥୁଲା । ତହୁଁ ସେ ଭାବିଲା ଭଗବାନ ଯଦି ସମସ୍ତଙ୍କର ଦୁଃଖ ଶୁଣନ୍ତି ତେବେ ମୋ ଦୁଃଖ ସେ ନିଶ୍ଚୟ ଶୁଣିବେ । ତହୁଁ ସେ ବଡ଼ ଭକ୍ତିର ସହିତ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା । ତା’ର ପ୍ରାର୍ଥନାରେ ଭଗବାନ ବଡ଼ ଖୁସି ହୋଇଗଲେ । ସେ ଆଉ ସ୍ଵର୍ଗପୁରରେ ଚୁପ ହୋଇ ବସି ପାରିଲେ ନାହିଁ । ସତକୁ ସତ ସେ ତାକୁ ଏକ ସୁନ୍ଦର ଯୁବତୀ କରିଦେଲେ ଏବଂ କହିଲେ ତୁ ଯେଉଁଦିନ ତୋର ଜନ୍ମ ବୃତାନ୍ତ କହିବୁ, ସେ ଦିନ ପୁଣି ବିରାଡ଼ି ହୋଇଯିବୁ ।

 

ଜମିଦାରଙ୍କର ତ ଆଗରୁ କୌଣସି ପୁଅ ଝିଅ ନ ଥିଲେ । ବିରାଡ଼ି ବଦଳରେ ଝିଅଟିଏ ପାଇ ସେ ବଡ଼ ଖୁସି ହେଲେ । ଏହା ପରେ ଜମିଦାରଙ୍କ ଘର ଆନନ୍ଦରେ ଉଛୁଳି ପଡ଼ିଲା । ଜମିଦାର ତାଙ୍କର ଗୋଟିଏ ବୋଲି ଝିଅକୁ ଭାରି ସ୍ନେହ କରିବାକୁ ଲଗିଲେ ।

 

କିଛିଦିନ ପରେ ଝିଅର ଇଛା ଅନୁସାରେ ଜମିଦାର ସେହି ଯୁବକଙ୍କ ସହିତ ତାହାର ବିବାହ କରିଦଲେ । ସେମାନେ ବଡ଼ ଖୁସିରେ ଦିନ କାଟିଲେ ।

 

ଦିନେ ସନ୍ଧ୍ୟା ବେଳେ ସେ ଦୁହେଁ ଏକାଠି ବସିଥିବା ବେଳେ ଗୋଟିଏ ବଡ଼ ମୂଷା ସେ ବାଟେ ଚାଲିଗଲା । ମୂଷାକୁ ଦେଖି ଯୁବତୀଟି ତାକୁ ଧରି ପକାଇ ଖାଇବାକୁ ବସିଲା । ଏହା ଦେଖି ଯୁବକ ତାକୁ ମନା କଲା ଏବଂ ମୂଷା ଖାଇବାର କାରଣ ପଚାରିଲା ।

 

ଏହା ଶୁଣି ଯୁବତୀ ତାର କାରଣ କହିବାକୁ ମନା କଲା । ମାତ୍ର ଯୁବକ ତାକୁ ଥରକୁ ଥର ଜିଦ ଧରି ପଚାରିବାରୁ ଯୁବତୀଟି କହିଲା ଏହାର କାରଣ ଶୁଣିଲେ ତୁମକୁ ମତେ ଛାଡ଼ିବାକୁ ହେବ । ଏଥିପାଇଁ ପ୍ରସ୍ତୁତ ତ ?

 

ଯୁବକ ଏହା ଶୁଣି ଭାବିଲା ବୋଧହୁଏ ସେ ତାକୁ ଥଟ୍ଟାରେ ଏମିତି କହୁଛି । ତହୁଁ ସେ କହିଲା ହଁ, ମୁଁ ପ୍ରସ୍ତୁତ I

 

ତାହାପରେ ଯୁବତୀଟି ପ୍ରଥମେ କିପରି ସେ ବିରାଡ଼ି ଥିଲା ଏବଂ ଭଗବାନଙ୍କୁ ପ୍ରାର୍ଥନା କରି କିପରି ମଣିଷ ହେଲା ସବୁ କଥା କହିଲା । ଏ କଥା କହିବା ସଙ୍ଗେ ସଙ୍ଗେ ସେ ପୂର୍ବ ପରି ବିରାଡ଼ି ହୋଇଗଲା ।

 

ଏହା ଶୁଣି ଯୁବକଟି ଭାବିଲା ବିରାଡ଼ି ଅବସ୍ଥାରୁ ଭଗବାନ ତାକୁ ମଣିଷ କରିଦେଇଥିଲେ ମଧ୍ୟ ସେ ତାର ବିରାଡ଼ି ପ୍ରକୃତି ଛାଡ଼ି ପାରି ନଥିଲା, ତେଣୁ ଏପରି ହେଲା ।

 

“ପ୍ରକୃତି ସହଜରେ ବଦଳେ ନାହିଁ—”

Image

 

ମଣିଷ ମାଙ୍କଡ଼ ହେଲା

 

ବହୁ ଦିନ ତଳର କଥା । ସେତେବେଳେ ରୁଷିଆ ଦେଶରେ ଜଣେ ଧନୀଲୋକ ବାସ କରୁଥିଲେ । ତାଙ୍କର କୌଣସି ପୁଅ ଝିଅ ନ ଥିଲେ । କେବଳ ତାଙ୍କର ନିଜର ହୋଇ ଥିଲା ତାଙ୍କ ସ୍ତ୍ରୀ । ଦୁନିଆରେ କୌଣସି ଜିନିଷ ତାଙ୍କର ଅଭାବ ନ ଥିଲା । ମାତ୍ର ଦାନ ଧର୍ମ କରିବା ପାଇଁ ସେ କେବେହେଲେ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରୁ ନଥିଲେ । କୌଣସି ଅନୁଷ୍ଠାନକୁ ସେ ପଇସାଟିଏ ଦେବା ମଧ୍ୟ କେହି କେବେ ଦେଖି ନାହିଁ ।

 

ତାଙ୍କର ଗୋଟିଏ ଚାକରାଣୀ ଥିଲା । ସେ ଚାକରାଣୀ ତାଙ୍କର ସବୁ କାମ କରୁଥିଲା । ମାତ୍ର ଧନୀଲୋକଟି ବଡ଼ ନିଷ୍ଠୁର ଥିଲେ । ସେ କେବେହେଲେ ଚାକରାଣୀର ଭଲ କାମ ପାଇଁ ତା ଉପରେ ଖୁସି ହେଉ ନ ଥିଲେ ବା ପ୍ରଶଂସା କରୁନଥିଲେ । ବରଂ ତାକୁ ସାମାନ୍ୟ ଦୋଷରେ ବେତରେ ପ୍ରହାର କରୁଥିଲେ । ଯେତେ ମାଡ଼ ଖାଇଲେ ମଧ୍ୟ ସେ ଚାକରାଣୀ କେବେହେଲେ ତାର କାମରେ ହେଳା କରୁ ନ ଥିଲା । କେବଳ ଭଗବାନଙ୍କୁ ଡାକି ଡାକି ସବୁ ମାଡ଼ ଗାଳି ସହି ସେ କାମ କରୁଥାଏ ।

 

ତାର ଦୁଃଖ ଦେଖି ଦେବତାମାନେ ଆଉ ରହି ପାରିଲେ ନାହିଁ । ସେମାନେ ସମସ୍ତେ ଏକାଠି ହୋଇ ଧନୀଲୋକକୁ ଏକ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଜଣକୁ ପଠାଇଲେ । ଦେବତାମାନଙ୍କୁ ତ ବହୁତ ପ୍ରକାର ମାୟା ଜଣା । ସେ ଦେବତା ଜଣକ ଗୋଟିଏ ଭିକାରି ବେଶରେ ଧନୀ ଏବଂ ତାଙ୍କ ସ୍ତ୍ରୀ ନ ଥିଲା ବେଳେ ଆସି ତାଙ୍କ ଘରଠାରେ ପହଞ୍ଚିଲେ ଏବଂ ଚାକରାଣୀକୁ କିଛି ଖାଇବାକୁ ମାଗିଲେ ।

 

ଚାକରାଣୀର ନିଜର କିଛି ନ ଥିଲା । ତେଣୁ ସେ ଭିକାରୀକୁ କ’ଣ ଖାଇବାକୁ ଦେବ ଭାବିବାକୁ ଲାଗିଲା । କାରଣ, ତାର ମାଲିକର ଧନରୁ ତାଙ୍କୁ ନ କହି ଦେବା ସେ ଉଚିତ ମନେ କଲା ନାହଁ । ଶେଷକୁ ତାକୁ ଗୋଟିଏ ବୁଦ୍ଧି ଦେଖାଗଲା । ସେ ପ୍ରତିଦିନ ଛଣ ଆଣି ଜାଳିବା ପୂର୍ବରୁ ତହିଁରେ ଥିବା ଧାନଗୁଡ଼ିକ ବାଛି ରଖେ । ତାର ସେ କଥା ମନେ ପଡ଼ିଗଲା । ତହୁଁ ସେ ଧାନ ଅଖାଟି ଆଣି ଭିକାରୀକୁ ଦେଇ ଶୀଘ୍ର ଚାଲିଯିବାକୁ କହିଲା । କାରଣ ସେତେବେଳକୁ ତାର ଖାମିଦ ଆସିବା ସମୟ ହୋଇଯାଇଥିଲା ।

 

ଭିକାରୀଟି ଧାନ ପାଇ ବଡ଼ ଖୁସି ହୋଇଗଲା । କାରଣ ସେତକ ସେ କେଉଁଠାରେ ଦେଇ ଭଲଭାବରେ ପେଟେ ଖାଇବାକୁ ପାଇବ । ତହୁଁ ସେ ଚାକରାଣୀକୁ ଗୋଟିଏ ରୁମାଲ ଦେଇ ସେଥିରେ ତାର ନିଜ ମୁହଁ ପୋଛିବା କହିଲା ଏବଂ ଅନ୍ୟ କାହାକୁ ଦେବାକୁ ମନା କଲା । ସେ କହିଲା ଅନ୍ୟ କେହି ଏହାକୁ ବ୍ୟବହାର କଲେ ତାର ଉପକାର ପରିବର୍ତ୍ତେ ଅପକାର ହେବ । ଏହା କହି ସେ ଚାଲିଯାଉଥିବାବେଳେ ଧନୀଲୋକ ଆସିଲେ ଏବଂ ଭିକାରିକୁ ଭିତରକୁ ଆସିବାପାଇଁ ସୁବିଧା ଦେଇ ଥିବାରୁ ଚାକରାଣୀକୁ ମାଡ଼ ଦେଲେ । ମାତ୍ର ସେ ସବୁ ମାଡ଼ ଗାଳି ସହି ରହିଲା ।

 

ସେହି ଦିନଠାରୁ ସେ ଚାକରାଣୀ ରୁମାଲରେ ତାର ମୁହଁ ପୋଛିବାକୁ ଲାଗିଲା । ରୁମାଲର କି ଶକ୍ତି ଥିଲା କେଜାଣି କ୍ରମେ କ୍ରମେ ତାର ମୁହଁ ଅତି ସୁନ୍ଦର ଦେଖାଗଲା ।

 

ଏହା ଦେଖି ତାର ମାଲିକ ଅତି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହାର କାରଣ ପଚାରିଲେ । ସେ କିପରି ଭିକାରିଠାରୁ ରୁମାଲ ପାଇଲା ଏବଂ ସେ ରୁମାଲରେ ମୁହଁ ପୋଛିବା ସଙ୍ଗେ ସଙ୍ଗେ କିପରି ତାର ଏ ପରିବର୍ତ୍ତନ ହେଲା ସମସ୍ତ କଥା ସେ କହିଲା ଏବଂ ଶେଷରେ କହିଲା, ଏ ରୁମାଲ ଅନ୍ୟ କେହି ବ୍ୟବହାର କଲେ ତାର ଲାଭ ନ ହୋଇ କ୍ଷତି ହେବ ।

 

ଏହାପରେ ଧନୀଲୋକ ତାକୁ ରୁମାଲଟି ମାଗିଲା । ସେ ମାଡ଼ ଭୟରେ ରୁମାଲଟି ଦେଲା । ସେହି ଦିନଠାରୁ ସେ ଧନୀ ଓ ତାଙ୍କ ସ୍ତ୍ରୀ ସେ ରୁମାଲରେ ମୁହଁ ପୋଛିବାକୁ ଲାଗିଲେ ।

 

ଏହାପରେ ସେମାନଙ୍କର ସୌନ୍ଦର୍ଯ୍ୟ ଲୋପ ପାଇବାକୁ ଲାଗିଲା । ମୁହଁ ଓ ଦେହରେ ଚାରିଆଡ଼େ ରୁମ ମାନ ଉଠିଲା । ଏହାପରେ ସେମାନେ ମାଙ୍କଡ଼ ହୋଇଗଲେ ଏବଂ ଦୌଡ଼ି ଦୌଡ଼ି ବଣ ଭିତରକୁ ପଳାଇଲେ । ଏହାପରେ ସେ ନିଷ୍ଠୁର ଧନୀ ଓ ତାଙ୍କ ସ୍ତ୍ରୀକୁ ଆଉ କେହି ଦେଖିଲେ ନାହିଁ ।

 

ନଜାଣି ନଶୁଣି କୌଣସି କାମ କଲେ ଶେଷରେ ଦୁଃଖ ଭୋଗ କରିବାକୁ ହୁଏ ।

Image

 

ସ୍ୱାର୍ଥପରତାର ପରିଣାମ

 

ଗୋଟି ବଣରେ ଗୋଟିଏ ଘୋଡ଼ା ବାସ କରୁଥିଲା । ସେ ବଣରେ ତାର ଖାଦ୍ୟ ପଦାର୍ଥ ପ୍ରଚୁର ଥାଏ । ସେ ଏକାକୀ ସେଠାରେ ବାସ କରୁଥିବାରୁ ନିଜ ଇଛା ଅନୁସାରେ ଖାଇ ପିଇ ସେ ବଡ଼ ବଳୁଆ ହୋଇଥାଏ । ସେ ନିଜର ସୁବିଧା ପାଇଁ ସବୁବେଳେ ସାବଧାନ ରହୁଥିଲା । ଅନ୍ୟ କେହି ସେଠାକୁ ଖାଇବାକୁ ଆସିଲେ ସେ ତାକୁ ତଡ଼ି ଦେଉଥିଲା ।

 

ଥରେ ସେ ବଣକୁ ଗୋଟିଏ ହରିଣ ଆସିଲା । ସେ ସେଠାରେ ପହଞ୍ଚି ତା’ ପାଇଁ ବହୁତ ଖାଦ୍ୟ ପଦାର୍ଥ ଥିବାର ଦେଖି ବଡ଼ ଖୁସି ହୋଇଗଲା ଏବଂ ବଡ଼ ଆନନ୍ଦର ସହିତ ଖାଇବାରେ ଲାଗିଲା । ଘୋଡ଼ା ଯେତେବେଳେ ଦେଖିଲା ଯେ, ହରିଣ ତାର ଖାଦ୍ୟ ସବୁ ଖାଇଯାଉଛି, ସେ ବଡ଼ ରାଗିଗଲା । ସେ ହରିଣ ପାଖକୁ ଦୌଡ଼ିଯାଇ ତାକୁ ସେ ବଣ ଛାଡ଼ି ଚାଲି ଯିବାକୁ କହିଲା ।

 

ହରିଣ ତ ବଡ଼ ବେଗରେ ଦୌଡ଼ିପାରେ । ସେ ଘୋଡ଼ାକୁ ଦେଖି ଜୋରରେ ଦୌଡ଼ି ପଳାଇଲା ଏବଂ କିଛି ଦୂର ଯାଇ ଅନ୍ୟ ଏକ ସ୍ଥାନରେ ଖାଇଲା । ଘୋଡ଼ା ପୁଣି ସେଠାକୁ ଯିବାରୁ ହରିଣ ତା ପୂର୍ବସ୍ଥାନକୁ ଫେରି ଆସିଲା । ଘୋଡ଼ା ଏହି ପରି ଦୌଡ଼ି ଦୌଡ଼ି ଶେଷକୁ ବଡ଼ ରାଗିଗଲା-। ମାତ୍ର ହରିଣକୁ ସେଠାରୁ ବାହାର କରି ଦେଇ ପାରିଲା ନାହିଁ ।

 

ଏହା ସମୟରେ ଜଣେ ମଣିଷ ସେ ବାଟେ ଯାଉଥିଲା । ଘୋଡ଼ା ତାକୁ ପାଖରୁ ଡାକି କହିଲା, “ଏ ବଣରେ ମୁଁ ଏକୁଟିଆ ରହେ ।

 

ମାତ୍ର ଏ ହରିଣ ଏଠାକୁ ଆସି ମୋର ସବୁ ଖାଦ୍ୟ ଖାଇଯାଉଛି । ଆପଣ ଦୟାକରି ତାକୁ ଏଠାରୁ ତଡ଼ି ଦେଇପାରିବେ କି ?

 

ମଣିଷଟି କିଛି ସମୟ ଭାବିଲା । ତା’ ପରେ କହିଲା, “ହଁ ମୁଁ ପାରିବି । ମାତ୍ର ମୁଁ ତ ଏତେ ଶୀଘ୍ର ଦୌଡ଼ି ପାରେ ନାହିଁ । ତେଣୁ ତୁମ ପିଠିରେ ବସି ମୁଁ ଏହା କରିପାରିବି । ଘୋଡ଼ା ତ ହରିଣ ଉପରେ ବଡ଼ ରାଗିଥିଲା । ଏ କଥା ଶୁଣି ସେ ବଡ଼ ଖୁସି ହୋଇଗଲା । ମଣିଷକୁ ନିଜ ପିଠି ଦେଖାଇ ଦେଲା । ତାହାର ପିଠିରେ ବସି ପଡ଼ି ଲୋକଟି ହରିଣକୁ ଗୋଡ଼େଇବା ପରି ଏଣେ ତେଣେ ବହୁତ ଦୌଡ଼େଇଲା । ଶେଷରେ ଯେତେବେଳେ ସନ୍ଧ୍ୟା ହୋଇଗଲା, ସେତେବେଳେ ନିଜ ଘର ଆଡ଼େ ଘୋଡ଼ାକୁ ଦୌଡ଼ାଇ ନେଲା । ଘର ପାଖରେ ପିଠିରୁ ଓହ୍ଲାଇ ପଡ଼ିଲା ।

 

ଏହା ଦେଖି ଘୋଡ଼ା କହିଲା, “ହରିଣକୁ ନ ତଡ଼ି ଏଠାକୁ କାହିଁକି ଆସିଲ ।

 

ଏହା ଶୁଣି ମଣିଷ କହିଲା, ସେ ବଣ ତୋର ଏକା ନୁହେଁ । ନିଜେ ଖାଇ ପିଇ ରହିବା ପାଇଁ ଅନ୍ୟମାନଙ୍କୁ ତଡ଼ି ଦେବା ଉଚିତ ନୁହେଁ । ସେମାନଙ୍କ ସାଙ୍ଗରେ ମିଳିମିଶି ରହ ।

 

ଘୋଡ଼ା ଦିନ ତମାମ ମଣିଷକୁ ପିଠିରେ ବୋହି ଦୌଡ଼ି ଦୌଡ଼ି କ୍ଳାନ୍ତ ହୋଇଥିଲା । ସେ ଭାବିଲା, ମିଛଟାରେ ଜଣେ ମଣିଷର ବେଠି କରିଥିବାରୁ ତାହା ମନରେ ବଡ଼ ଦୁଃଖ ହେଲା । ତା ପରେ ସେ ବଣକୁ ଫେରିଗଲା ।

 

ସେହି ଦିନଠାରୁ ଘୋଡ଼ାଟି ଅନ୍ୟମାନଙ୍କୁ ସେଠାରେ ଖାଇବା ପାଇଁ ମନା କଲା ନାହିଁ । ବରଂ ଅନ୍ୟମାନଙ୍କୁ ସେ ଭାଇ ପରି ଦେଖିଲା ଏବଂ ସେମାନଙ୍କ ସହିତ ବଡ଼ ଖୁସିରେ ରହିଲା ।

 

ସ୍ଵାର୍ଥପରର ଶେଷ ଜୀବନ ଦୁଃଖରେ କଟେ ।

Image

 

କାଠୁରିଆର ଲୋଭ

 

ବହୁତବର୍ଷ ତଳର କଥା । ସେତେବେଳେ ଭାରତବର୍ଷର ଗୋଟିଏ ଗାଁଆରେ ଜଣେ ଗରିବ ଲୋକ ଥିଲା । ସେ ପ୍ରତିଦିନ କାଠ କାଟି ବଜାରରେ ବିକି ଚଳେ । ସେ କାଠ କାଟିବା ପାଇଁ ତାର ଗାଁ ପାଖରେ ଥିବା ଗୋଟିଏ ଜଙ୍ଗଲକୁ ପ୍ରତିଦିନ ଯାଏ । ସେଇ ଜଙ୍ଗଲ ପାଖରେ ଗୋଟିଏ ନଈ ବୋହି ଯାଉଥାଏ ।

 

ଦିନେ ସେ କାଠ କାଟିବାକୁ ଯାଇ ସେଇ ନଈପାଖକୁ ଚାଲିଗଲା । ନଈକୁଳରେ ଥିବା ଗୋଟିଏ ଗଛରେ କାଠ କାଟୁ କାଟୁ ତାର କୁରାଢ଼ିଟି ହାତରୁ ଖସିଯାଇ ନଈରେ ପଡ଼ିଲା । ସେତେବେଳେ ନଈରେ ବହୁତ ପାଣିଥାଏ–ବଡ଼ ବଡ଼ ଫେଣମାନ ନଈରେ ଭାସି ଯାଉଥାଏ । କୁରାଢ଼ିଟି ହାତରୁ ପଡ଼ିଯିବାରୁ ସେ ଆଉ ତାକୁ କିପରି ପାଇବ ଭାବିପାରିଲା ନାହିଁ । ସେ ବଡ଼ ଗରିବ ଥିଲା । ଆଉ ଗୋଟିଏ କୁରାଢ଼ି କିଣିବା ତା ପକ୍ଷରେ ବଡ଼ କଷ୍ଟକର । ତେଣୁ ସେ ସେଠାରେ ବସି ଏକଥା ଭାବି ଭାବି କାନ୍ଦିବାକୁ ଲାଗିଲା ।

 

ନଈକୂଳରେ ଜଣେ ଲୋକର କାନ୍ଦ ଶୁଣି ଜଳଦେବତା ଆଉ ସ୍ଥିର ହୋଇ ରହିପାରିଲେ ନାହିଁ । ସେ ତାର ଆଗରେ ଠିଆ ହୋଇ କାଠୁରିଆକୁ କାହିଁକି କାନ୍ଦୁଛ ବୋଲି ପଚାରିଲେ । କାଠୁରିଆ କାନ୍ଦି କାନ୍ଦି କହିଲା, “ମୁଁ ଅତି ଗରିବ । ପ୍ରତିଦିନ କାଠକାଟି ତାକୁ ବିକି ସେଥିରେ ଚଳେ । ମୋର କୁରାଢ଼ିଟି ପାଣିରେ ପଡ଼ିଗଲା । ସେଇଟିକୁ ନ ପାଇଲେ ମୁଁ ଆଉ ଗୋଟିଏ କୁରାଢ଼ି କିଣି ପାରିବି ନାହିଁ । ତେଣୁ ମୁଁ କାନ୍ଦୁଛି ।”

 

ଏହା ଶୁଣି ଜଳଦେବତା କହିଲେ, “ଆଚ୍ଛା ମୁଁ ତୋର କୁରାଢ଼ି ଦେବି ।” ଏହା କହି ଜଳଦେବତା ପାଣି ଭିତରେ ବୁଡ଼ିଗଲେ ଏବଂ ଗୋଟିଏ ସୁନା କୁରାଢ଼ି ଆଣି କାଠୁରିଆକୁ କହିଲେ, “ଏହି କୁରାଢ଼ି ତୁମର ? ନିଅ ।

 

କାଠୁରିଆ ହାତ ଯୋଡ଼ି କହିଲା, “ଏ କୁରାଢ଼ି ମୋର ନୁହେଁ ।” ମୋ କୁରାଢ଼ିଟି ମତେ ଦେଲେ ମୁଁ ଉପକୃତ ହେବି ।

 

ଏହା ଶୁଣି ଜଳଦେବତା ପୁଣି ପାଣି ଭିତରେ ବୁଡ଼ିଗଲେ ଏବଂ ଗୋଟିଏ ରୁପା କୁରାଢ଼ି ଧରି ଆସିଲେ । କୁରାଢ଼ିଟି ଦେଖି କାଠୁରିଆ ସେହିପରି ମନାକଲା ।

 

ତାହାପରେ ଜଳଦେବତା ପୁଣି ପାଣିରେ ବୁଡ଼ିଗଲେ ଏବଂ କାଠୁରିଆର କୁରାଢ଼ିଟି ଧରି ଆସିଲା । କାଠୁରିଆଟି ତାର ନିଜ କୁରାଢ଼ିଟି ଦେଖି ବଡ଼ ଖୁସି ହେଲା ।

 

ଜଳଦେବତା ପଚାରିଲେ, ଏ ତୋର କୁରାଢ଼ି ? କାଠୁରିଆ, ତାର କୁରାଢ଼ିଟି ଦେଖି ଅତି ଖୁସି ହୋଇଗଲା ଓ “ହଁ ଏ ମୋର କୁରାଢ଼ି ବୋଲି କହିଲା ।”

 

ଜଳଦେବତା ତାର କୁରାଢ଼ିଟି ତାକୁ ଦେଲେ ଏବଂ ତାର ସତ୍ୟବାଦୀତା ଯୋଗୁଁ ଖୁସି ହୋଇ ପୂର୍ବରୁ ଦେଖାଇଥିବା ସୁନା ଓ ରୁପା କୁରାଢ଼ି ଦୁଇଟି ମଧ୍ୟ ତାକୁ ଦେଲେ ।

 

ତାହାପରେ କାଠୁରିଆଟି ତାର ଘରକୁ ଫେରି ଆସିଲା ଏବଂ ତାର ବନ୍ଧୁମାନଙ୍କୁ ଏ କଥା କହିଲା ।

 

ଏହା ଶୁଣି ସେହି ଗ୍ରାମରେ ଆଉ ଜଣେ କାଠୁରିଆର ବଡ଼ ଲୋଭ ହେଲା । କିପରି ରାତି ପାହିଲେ ସେ ଯାଇ ସେହି ବଣରେ ପହଞ୍ଚିବ । ସେଠାରେ କାଠ କାଟି ଜଳଦେବତାଙ୍କ ଠାରୁ ସୁନା ରୁପା କୁରାଢ଼ି ଆଣିବ ରାତିଯାକ ଭାବି ଭାବି ନିଦ ହେଲା ନାହିଁ । ତା ପରଦିନ ସକାଳୁ ଉଠି ନଈ କୂଳେ ଥିବା ବନକୁ ଗଲା । ସେଠାରେ ନଈକୂଳରେ ଥିବା ବରଗଛରୁ କାଠ କାଟୁ କାଟୁ ତାର କୁରାଢ଼ିଟିକୁ ଜାଣି ଶୁଣି ନଈକୁ ପକାଇଦେଲା ଏବଂ ସେଠାରେ ବସି କାନ୍ଦିଲା ।

 

ତାର କାନ୍ଦ ଶୁଣି ଜଳଦେବତା ଆସି ସେଠାରେ ଉପସ୍ଥିତ ହେଲେ ଏବଂ ତାକୁ କାନ୍ଦିବାର କାରଣ ପଚାରିଲେ । ତହୁଁ କାଠୁରିଆ କହିଲା, ମୁଁ କାଠ କାଟି ଚଳେ । ମୋର କୁରାଢ଼ିଟି ପାଣିରେ ପଡ଼ିଗଲା, ତେଣୁ ମୁଁ କାନ୍ଦୁଛି ।

 

ଜଳଦେବତା ଏହା ଶୁଣି କହିଲେ, “ମୁଁ ତୋର କୁରାଢ଼ି ଆଣି ଦେଉଛି ।” ଏହା କହି ସେ ପାଣି ଭିତରେ ବୁଡ଼ିଗଲେ ।

 

କିଛି ସମୟ ପରେ ଜଳଦେବତା ଗୋଟିଏ ସୁନା କୁରାଢ଼ି ଧରି କାଠୁରିଆ ଆଗରେ ଠିଆହେଲେ ଏବଂ କହିଲେ, ତୁମର କୁରାଢ଼ି ନିଅ ।”

 

କାଠୁରିଆ ଏହା ଦେଖି ବଡ଼ ଖୁସି ହୋଇ କହିଲା, ହଁ ଏ ମୋର କୁରାଢ଼ି । ତା’ ପରେ ସେ କୁରାଢ଼ିଟି ଆଣିବା ପାଇଁ ହାତ ବଢ଼ାଇଲା ।

 

ଏହା ଦେଖି ଜଳଦେବତା ବଡ଼ ରାଗିଗଲେ । ରାଗରେ ତାଙ୍କର ମୁହଁ ଲାଲ ପଡ଼ିଗଲା । ସେ କହିଲେ ତୁମେ ମିଛ କହିଥିବାରୁ ତୁମର କୁରାଢ଼ିଟି ମଧ୍ୟ ପାଇବ ନାହିଁ । ଏହା କହି ସେ ପାଣି ଭିତରେ ଅଦୃଶ୍ୟ ହୋଇଗଲେ ।

 

ମିଛୁଆ କାଠୁରିଆ ବଡ଼ ବ୍ୟସ୍ତ ହୋଇ ତା ଘରକୁ ଫେରିଲା । ମାତ୍ର ଏ କଥା କାହାରିକୁ କହିଲା ନାହିଁ ।

 

ସେହି ଦିନଠାରୁ କାଠୁରିଆର ପରିବର୍ତ୍ତନ ହେଲା । ସେ ଆଉ ଦିନେ ମିଛ କହିଲା ନାହିଁ-

 

ଅତି ଲୋଭ ବିନାଶର ହେତୁ ଅଟେ ।

Image

 

ଟଙ୍କା ସୁଖ ଦିଏ ନାହିଁ

 

ବହୁଦିନ ତଳେ ଚୀନ ଦେଶରେ ଜଣେ ବଡ଼ ଧନୀଲୋକ ଥିଲା । ବହୁତ ଲୋକ ଆସି ତାଙ୍କଠାରୁ କରଜ ନେଉଥିଲେ । ସେଥିପାଇଁ ଦିନରାତି ସବୁବେଳେ ସେ ଟଙ୍କା କରଜ ଦେବା, ସୁଧ ଆଦାୟ କରିବା ଆଦି କାମରେ ବ୍ୟସ୍ତ ଥାଆନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର ଟିକିଏ ହେଲେ ବିଶ୍ରାମ ନ ଥିଲା । ଏପରିକି ଗଣ୍ଡାଏ ଖାଇବାକୁ ମଧ୍ୟ ତାଙ୍କୁ ସମୟ ହେଉ ନଥିଲା ।

 

ଦିନରାତି ଏପରି କାମ କରିବାର ଦେଖି ଧନୀଲୋକଙ୍କ ସ୍ତ୍ରୀ ତାଙ୍କୁ କହନ୍ତି, “ତୁମର ସ୍ୱାସ୍ଥ୍ୟ ପ୍ରତି ନଜର ଦିଅ ।” ଏହା ଶୁଣି ସେ କହନ୍ତି, “ତୁମେ ଯାହା କହୁଛ ଅବଶ୍ୟ ସତ, ମାତ୍ର କିପରି ମୁଁ ବିଶ୍ରାମ ନେବି ।”

 

ତାଙ୍କ ଘର ପାଖରେ ଗୋଟିଏ ଲୋକର ଘର ଥାଏ । ତା’ର ନାଁ ‘ନିଳୁ’ । ନିଳୁ ପ୍ରତିଦିନ ମୂଲ ଲାଗି ଯାହା କିଛି ପଇସା ଆଣେ ସେଥିରେ ତାଙ୍କର ଚଳିଯାଏ । କାମରୁ ଫେରି ନିଳୁ ତାର ସେଦିନର ରୋଜଗାରକୁ ତାର ସ୍ତ୍ରୀକୁ ଧରିଦିଏ । ତାପରେ ସେ ନିଶ୍ଚିତ ହୋଇ ବସେ । ଏହିପରି ସୁଖରେ ସେମାନଙ୍କ ଦିନ କାଟିଯାଏ । କାମ ଶେଷରେ ସନ୍ଧ୍ୟାବେଳେ ନିଳୁ ଓ ତା ସ୍ତ୍ରୀ ବଇଁଶୀ ବଜାଇ ଅତି ଖୁସି ହୋଇ ଗୀତ ବୋଲନ୍ତି । ସନ୍ଧ୍ୟାବେଳେ ମନ ଖୁସିରେ ନିଳୁ ଓ ତାର ସ୍ତ୍ରୀ ଗୀତ ଶୁଣିବାକୁ ଧନୀ ଲୋକଙ୍କର କେବେହେଲେ ବେଳ ନ ଥାଏ । ମାତ୍ର ତାଙ୍କର ସ୍ତ୍ରୀ ସବୁଦିନେ ସେମାନଙ୍କର ଗୀତ ଶୁଣନ୍ତି ।

 

ଦିନଯାକ କାମ କରି ମଧ୍ୟ ଧନୀଙ୍କ କାମ ଶେଷ ହଉ ହଉ ବହୁତ ରାତି ହୋଇଯାଏ । ତାପରେ ସେ ଖାଇ ଶୋଇ ପଡ଼ନ୍ତି । ଦିନେ ଖାଇଲା ବେଳେ ତାଙ୍କ ସ୍ତ୍ରୀ କହିଲେ, “ଆମ ଘର ପାଖରେ ନିଳୁ ଓ ତାର ସ୍ତ୍ରୀ ଅଳପ ରୋଜଗାର କଲେ ମଧ୍ୟ ବଡ଼ ଖୁସିରେ ଅଛନ୍ତି । ସେମାନେ ଗଣ୍ଡିଏ ଖାଇ କୁଡ଼ିଆରେ ରହି ଯେପରି ଆନନ୍ଦରେ ଦିନ କାଟନ୍ତି, ଆମେ ଏ କୋଠାଘରେ ରହି ମଧ୍ୟ ଦିନେ ହେଲେ ସେପରି ଆନନ୍ଦ ପାଉନାହୁଁ ।

 

ଏହା ଶୁଣି ଧନୀ କହିଲେ, “ନିଳୁକୁ ବ୍ୟସ୍ତ କରିବା ପାଇଁ ତାର କିଛି ନାହିଁ । କାରଣ ସେ ଗରିବ ।” ଆମେ ତାକୁ କିଛି ଟଙ୍କା ଦେବା, ତାହେଲେ ସେ ଆହୁରି ଖୁସିରେ ଗୀତ ଗାଇବ । ତାଙ୍କ ସ୍ତ୍ରୀ ଏହା ଶୁଣି ବଡ଼ ଖୁସି ହୋଇଗଲା ।

 

ପରଦିନ ସକାଳେ ଧନୀବ୍ୟକ୍ତି ନିଳୁ ପାଖକୁ ଗୋଟିଏ ଲୋକ ପଠାଇଲେ—ନିଳୁ ଆସିଲା । ଧନୀ ବ୍ୟକ୍ତି ତାକୁ ପଚାରିଲା, “ନିଳୁ କିପରି ଅଛ ।”

 

ଧନୀଙ୍କଠାରୁ ଏପରି ପ୍ରଶ୍ନ ଶୁଣି ନିଳୁ ଟିକେ ବ୍ୟସ୍ତ ହୋଇ ପଡ଼ିଲେ । ତହୁଁ ସେ କହିଲେ, “ମୋର ଦୁଃଖ ଶୁଣିବେ । ମୁଁ ପର ପାଇଁ ଅତି କଠିନ ପରିଶ୍ରମ କରେ ଏବଂ ଖୁବ କମ ମଜୁରି ପାଏ-। ତାପରେ ସେଇଥିରେ ଯାହା ଗଣ୍ଡିଏ ଖାଇ ରହେ । ମୁଁ ଭଲ ଅଛି କି ନାହିଁ ଭାବିବାକୁ ମତେ ବେଳ ନ ଥାଏ ।”

 

ଏହା ଶୁଣି ଧନୀ କହିଲେ, “ମୁଁ ଜାଣେ ନିଳୁ ! ତୁମେ ମୂଲ ଲାଗି ଆଉ ବେଶୀ ରୋଜଗାର କରି ପାରିବ ନାହିଁ । ତୁମେ ମୋର ଜଣେ ପଡ଼ିଶା ଏବଂ ବୃଦ୍ଧ । ମୁଁ ତୁମକୁ ଏହି ପାଞ୍ଚ ହଜାର ଟଙ୍କା ଦେଉଛି । ଏ ଟଙ୍କାରେ ତୁମେ ବ୍ୟବସାୟ କର । ଏହା କହି ସେ ନିଳୁକୁ ପାଞ୍ଚହଜାର ଟଙ୍କା ଦେଲେ ।

 

ନିଳୁ ଏତେଗୁଡ଼ାଏ ଟଙ୍କା ଏକାଥରକେ କେବେହେଲେ ଦେଖି ନ ଥିଲା । ତେଣୁ ଏ ଟଙ୍କା ପାଇ ସେ ବଡ଼ ଖୁସି ହୋଇଗଲା ଏବଂ ଧନୀକୁ କୃତଜ୍ଞତା ଜଣାଇ ତା ଘରକୁ ଫେରିଲା ।

 

ଘରେ ପହଞ୍ଚି ସେ ଆଉ କାମକୁ ଗଲା ନାହିଁ । ସେ କେବଳ ଏତେଗୁଡ଼ିଏ ଟଙ୍କାରେ କଣ କରିବ ଭାବିବାକୁ ଲାଗିଲା । ସବୁଦିନ ପରି ନିଳୁ ଓ ତାର ସ୍ତ୍ରୀ ସେଦିନ ଆଉ ମନସୁଖରେ ଗୀତ ଗାଇ ପାରିଲେ ନାହିଁ । ସେମାନେ ଖୁସିରେ ଗଣ୍ଡିଏ ଖାଇ ପାରିଲେ ନାହିଁ କିମ୍ବା ଶୋଇପାରିଲେ ନାହିଁ । କେବଳ ଏତେଗୁଡ଼ାଏ ଟଙ୍କା ସେମାନେ କିପରି ଖର୍ଚ୍ଚ କରିବେ ସେଇ କଥା ଭାବିବାରେ ଲାଗିଲେ ।

 

ସେଦିନ ରାତିରେ ଆଉ ଗୀତ ନ ଶୁଣି ଧନୀବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ କହିଲେ, “ଦେଖ ଆଜି ଆଉ ଗୀତ ଶୁଭୁ ନାହିଁ । ପଇସା ହେଲେ ନାନାପ୍ରକାର ଚିନ୍ତା କରିବାକୁ ପଡ଼େ । ତେଣୁ ଗୀତ ବୋଲିବାକୁ କିମ୍ବା ବିଶ୍ରାମ କରିବାକୁ ସମୟ ମିଳେ ନାହିଁ ।

 

ନିଳୁ ସେଦିନ ରାତିରେ ଆଉ ଶୋଇପାରିଲା ନାହିଁ । ଭାବି ଭାବି ସେ କ୍ଳାନ୍ତ ଏବଂ ଦୁର୍ବଳ ହୋଇଗଲା । ଏହିପରି ଚାରିଦିନ କଟିଗଲା । ପରଦିନ ସକାଳେ ସେ ତାର ସ୍ତ୍ରୀକୁ କହିଲା, ଟଙ୍କା ପାଇବା ପୂର୍ବରୁ ଆମେ ମନ ଖୁସିରେ ଗଣ୍ଡିଏ ଖାଇ ଶାନ୍ତିରେ ଶୋଇ ପାରୁଥିଲେ । ମାତ୍ର ଟଙ୍କା ପାଇବା ପରେ ଆଉ ସେପରି ଶାନ୍ତିରେ ଖାଇ ପିଇ ପାରିଲେ ନାହିଁ, ମନସୁଖରେ ଗୀତ ଗାଇ ପାରିଲେ ନାହିଁ, ଏପରି କି ରାତିରେ ମଧ୍ୟ ଶୋଇ ପାରିଲେ ନାହିଁ । ତେଣୁ ଏପରି ଧନ ଆମର ଦରକାର ନାହିଁ । ତାର ସ୍ତ୍ରୀ ମଧ୍ୟ ତା କଥାରେ ଏକମତ ହେଲା ।

 

ତହୁଁ ସେ ଧନୀଙ୍କ ଘରକୁ ଗଲା । ସେଠାରେ ପହଞ୍ଚି ତାଙ୍କୁ ସବୁ କଥା କହିଲା । ତାଙ୍କୁ ତାଙ୍କର ସମସ୍ତ ଟଙ୍କା ଫେରାଇ ଦେଇ ଆସିଲା ।

 

ପରଦିନ ସକାଳେ ନିଳୁ ସବୁଦିନ ପରି କାମକୁ ଗଲା । କାମରୁ ଫେରି ସେ ଓ ତାର ସ୍ତ୍ରୀ ପ୍ରତିଦିନ ପରି ଗୀତ ଗାଇଲେ । ମନ ଖୁସିରେ କାଳ କାଟିଲେ । ସବୁଦିନ ପରି ଧନିବ୍ୟକ୍ତି ଓ ତାଙ୍କ ସ୍ତ୍ରୀ ନିଳୁର ଓ ତାର ସ୍ତ୍ରୀର ଗୀତ ଶୁଣିବାକୁ ପାଇଲେ ।

 

ଧନ ଜୀବନର ଦୁଃଖ କାରଣ ଅଟେ ।

Image

 

ସୁନା ଶୁଆ କଥା

 

ବହୁବର୍ଷ ପୂର୍ବର କଥା, ସେତେବେଳେ ଆମ ହିନ୍ଦୁ ସ୍ଥାନରେ ବିକ୍ରମପୁର ବୋଲି ଏକ ଦେଶ ଥିଲା । ସେ ଦେଶରେ ରାଜା ଥିଲେ ବିକ୍ରମ ସେନ । ସେ ବଡ଼ ବୀର ଥିଲେ । ବାହୁବଳରେ ସେ ବହୁ ଦେଶ ଜୟ କରିଥିଲେ । ରାଜା ବିକ୍ରମସେନ ମଧ୍ୟ ବଡ଼ ଧାର୍ମିକ ଥିଲେ । ତାଙ୍କର ଶାସନରେ ସମଗ୍ର ଦେଶବାସୀ ବଡ଼ ସୁଖଶାନ୍ତିରେ ବାସ କରୁଥିଲେ ।

 

ରାଜା ବିକ୍ରମସେନ ଦିନଯାକ ପ୍ରଜାମାନଙ୍କ ଭଲମନ୍ଦ ବୁଝି ବଡ଼ କ୍ଳାନ୍ତ ହୋଇ ଫେରିଲାବେଳେ ବହୁ କାଳ ଆମୋଦ ପ୍ରମୋଦରେ କଟାଉଥିଲେ । ସେ ପାରିଧିରେ ଯାଇ ବହୁ ପଶୁପକ୍ଷୀ ମଧ୍ୟ ଧରି ତାଙ୍କ ନଅରରେ ରଖିଥିଲେ । କାରଣ ରାଜା ଚଢ଼େଇମାନଙ୍କ କଥା ଶୁଣିବାକୁ ଭାରି ଭଲ ପାଉଥିଲେ ।

 

ରାଜା ବିକ୍ରମସେନ ପ୍ରଜାମାନଙ୍କ ଦୁଃଖସୁଖ ବୁଝି ନଅରକୁ ଫେରି ସବିଦିନେ ଚଢ଼େଇମାନଙ୍କୁ କଥା ଶୁଣନ୍ତି । ଦିନେ ସନ୍ଧ୍ୟାବେଳେ ଚଢ଼େଇମାନଙ୍କ କଥା ଶୁଣୁଶୁଣୁ ରାଜା ନିଦରେ ଶୋଇ ପଡ଼ିଲେ ଏବଂ ଏକ ସ୍ଵପ୍ନ ଦେଖିଲେ ।

 

ଜଣେ ସନ୍ୟାସୀ ତାଙ୍କ ଆଗରେ ଠିଆ ହୋଇ କହିଲେ, ମହାରାଜା ତୁମେ ବହୁପ୍ରକାର କଥାକୁହା ଚଢ଼େଇ ରଖିଛ । ମାତ୍ର ପରୀରାଇଜ ରାଣୀଙ୍କ ଘରେ ଗୋଟିଏ ସୁନା ଶୁଆ ଅଛି । ସେ ଶୁଆଟି ଦେଖିବାକୁ ଯେମିତି ସୁନ୍ଦର ତାର କଥା ଶୁଣିବାକୁ ମଧ୍ୟ ସେମିତି ସୁନ୍ଦର । ସାରା ଦିନର ପରିଶ୍ରମ ପରେ ତାର କଥା ତୁମେ ଶୁଣିଲେ ସମସ୍ତ କ୍ଳାନ୍ତି ଭୁଲିଯିବ । ସେ ଚଢ଼େଇର କଥା ଶୁଣିଲେ ତୁମେ ଅନ୍ୟ କୌଣସି ଚଢ଼େଇର କଥା ଶୁଣିବାକୁ ମଧ୍ୟ ଇଚ୍ଛା କରିବ ନାହିଁ ।

 

ଏ ସ୍ଵପ୍ନ ଦେଖିଲା ପରେ ହଠାତ ରାଜାଙ୍କର ନିଦ ଭାଙ୍ଗିଗଲା । ସେ ରାତିରେ ତାଙ୍କୁ ଆଉ ନିଦ ହେଲା ନାହିଁ । କିପରି ସୁନା ଶୁଆକୁ ପାଇବେ ସେଇକଥା କେବଳ ସେ ଭାବିବାକୁ ଲାଗିଲେ ।

 

ପରଦିନ ସକାଳୁ ରାଜା ତାଙ୍କର ପାତ୍ର ମନ୍ତ୍ରୀମାନଙ୍କୁ ଡକାଇ ଏ ସବୁ କଥା କହିଲେ । କିପରି ଭାବରେ ସେ ଶୁଆ ପାଇବେ ତାହା ମଧ୍ୟ ପଚାରିଲେ ।

 

ତାପରେ ରାଜା ବିକ୍ରମ ସେନ ତାଙ୍କ ସାତ ପୁଅଙ୍କୁ ଡକାଇ କାହିଲେ—“ତୁମେମାନେ ଜାଣ ମୁଁ ଚଢ଼େଇମାନଙ୍କ କଥା ଶୁଣିବାକୁ କିପରି ଭଲ ପାଏ । ଆମ ନଅରରେ ବହୁତ ଚଢ଼େଇ ଅଛନ୍ତି । ମାତ୍ର ପରି ରାଇଜରେ ଥିବା ସୁନା ଶୁଆପରି ଏମାନେ ନୁହନ୍ତି; କାରଣ ଏମାନଙ୍କ ଅପେକ୍ଷା ଆହୁରି ସେ ସୁନ୍ଦର କଥା କହିପାରେ ଏବଂ ଦେଖିବାକୁ ମଧ୍ୟ ଅତି ସୁନ୍ଦର । ଯିଏ ପରୀରାଇଜରୁ ସେ ଶୁଆକୁ ଆଣିଦେବ ତାକୁ ମୁଁ ଅଧେ ରାଜ୍ୟ ଦେବାକୁ ସ୍ଥିର କରିଛି ।

 

ତାପରେ ରାଇଜସାରା ନାଗରା ଦିଆଯାଇ ଏକଥା ଜଣାଇ ଦିଆଗଲା । ରାଜାପୁଅମାନେ ଏହାଶୁଣି ବଡ଼ ବ୍ୟସ୍ତ ହେଲେ । ତହୁଁ ସେମାନେ ସମସ୍ତେ ଏକାଠି ହୋଇ ଠିକ କଲେ ଯେ ସେମାନେ ଯେ କୌଣସିମତେ ସୁନା ଶୁଆ ଆଣିବେ । ତା ନ ହେଲେ ଅନ୍ୟ କିଏ ଆଣିଲେ ରାଜ୍ୟରୁ ଅଧେ ନେଇଯିବ । ତାଙ୍କର ଅବସ୍ଥା ବଡ଼ ଖରାପ ହେବ ।

 

ଏପରି ବଡ଼ ଭାଇମାନେ ସମସ୍ତେ ଏକାଠି ହୋଇ ସାନ ଭାଇକୁ କହିଲେ ଆମେମାନେ ସୁନା ଶୁଆ ଆଣିବାକୁ ଯାଉଛୁ । ତୁ ଘରେ ଥା । ଏହାପରେ ସେମାନେ ଗୋଟିଏ ସୁନା କୁଣ୍ଡରେ ପାଣି ଭର୍ତ୍ତିକରି ଦେଲେ । ଦର୍ପଣଟିଏ ଭସାଇ ଦେଲେ ଏବଂ ସାନପୁଅ ଅମରେନ୍ଦ୍ର କୁମାରକୁ କହିଲେ ଏହି ଦର୍ପଣରେ ତୁ ଆମ୍ଭମାନଙ୍କର ମୁହଁ ଦେଖି ପାରିବୁ ସେତେବେଳେ ଜାଣିବୁ ଯେ ଆମକୁ କିଛି ନା କିଛି ବିପଦ ପଡ଼ିଲା ଏବଂ ଯଦି ଏହି ଦର୍ପଣ ପାଣିରେ ବୁଡ଼ିଯାଏ ତାହେଲେ ଜାଣିବୁ ଯେ ଆମ୍ଭେମାନେ ଏ ପୃଥିବୀରୁ ବିଦାୟ ନେଲୁ ।

 

ଏହାପରେ ବଡ଼ ଭାଇମାନେ ବାପ ମାଙ୍କଠାରୁ ବିଦାୟ ନେଇ ସୁନା ଶୁଆ ଖୋଜିବାକୁ ବାହାରିଗଲେ । ବହୁତ ବାଟ ଗଲା ପରେ ସେମାନେ ଏକ ବଣରେ ପହଞ୍ଚିଲେ । ସେତେବେଳେ ସନ୍ଧ୍ୟା ହୋଇ ଯାଇଥାଏ । କେଉଁଠାରେ ରହିବେ ସ୍ଥିର କରି ନପାରି ଛଅ ଭାଇଯାକ ଚାଲି ଥାଆନ୍ତି-। ସେ ବଣ ପାର ହେବା ପରେ ଗୋଟିଏ ଘର ଦେଖାଗଲା । ମାତ୍ର ସେ ଘର ପାଖରେ ଆଉ କୌଣସି ଘର ନ ଥିଲା । ସମସ୍ତେ ଯାଇ ସେଠାରେ ପହଞ୍ଚିଲେ ।

 

ଏହିପରି ଅସମୟରେ ସେ ଘରେ ବହୁତ ଲୋକ ଯାଇ ରହନ୍ତି । ସେ ଘରେ ଗୋଟିଏ ବୁଢ଼ା ଥିଲା । ଏ ଛ’ଜଣଙ୍କୁ ଦେଖି ସେ ବୁଢ଼ା ଆସି ପାଖରେ ପହଞ୍ଚିଲା । ଏ ଭାଇମାନଙ୍କ ପୋଷାକରୁ ସେ ଜାଣି ପାରିଥିଲା ଯେ, ଏମାନେ ରଜାଘର ପିଲା । ତାକୁ ବହୁତ ପଇସା ମିଳିଯିବ ବୋଲି ସେ ଭାବିଲା । ବୁଢ଼ା ସେମାନଙ୍କୁ ଗୋଟିଏ ଘର ଦେଖାଇ ଦେଲା । ସମସ୍ତେ ଯାଇ ସେଠାରେ ରହିଲେ ।

 

ଏହାପରେ ଘରମାନଙ୍କରେ ଅନେକ ସମୟରେ ବହୁତ ଚୋରୀ ହୁଏ । କାରଣ ଘର ଜଗୁଆଳି ସେଠାରେ ଆସୁଥିବା ସବୁ ଲୋକଙ୍କୁ ବାଟୋଇ ବୋଲି ଭାବି ରହିବା ପାଇଁ ଜାଗାଦିଏ । ସେ କାହାରିକୁ ମନା କରେନାଁ । ଅନେକ ସମୟରେ ଧନୀ ଲୋକଙ୍କ ପାଖରେ ଥିବା ମୂଲ୍ୟବାନ ଜିନିଷମାନ ନେବା ପାଇଁ ଅନେକ ଚୋର ମଧ୍ୟ ସେଠାରେ ଆସି ରହନ୍ତି । ସେ ଦିନ ମଧ୍ୟ ସବୁଦିନ ପରି ବହୁତ ଲୋକ ସେଠାକୁ ଆସିଥିଲେ ।

 

ରାଜପୁଅମାନେ ସୁନା ଶୁଆ ଖୋଜିଯିବେ ବୋଲି ବହୁତ ଧନଦରବ ଧରି ଘରୁ ବାହାରି ଯାଇଥିଲେ । ସେମାନେ ମଧ୍ୟ ବହୁତ ବାଟ ଚାଲି ବଡ଼ କ୍ଳାନ୍ତ ହୋଇ ଯାଇଥିଲେ । ସେ ଘରେ ରହିବା ପରେ ଗଣ୍ଡାଏ ଖାଇଦେଇ ବିଛଣା ଧରୁ ଧରୁ ନିଘୋଡ଼ ନିଦରେ ଶୋଇପଡ଼ିଲେ ।

 

ପରଦିନ ସକାଳେ ଛ’ ଭାଇଯାକ ଉଠିଲା ବେଳକୁ ଖରା ପଡ଼ି ଯାଇଥିଲା । ସେମାନେ ସମସ୍ତେ ଉଠି ଦେଖିଲେ ଯେ, ତାଙ୍କର ଧନ ଦରବ କିଛି ନାହିଁ । ତହୁଁ ସେମାନେ ବଡ଼ ବ୍ୟସ୍ତ ହେଲେ ଏବଂ ଶେଷରେ ଯାଇ ଜଗୁଆଳ ବୁଢ଼ାକୁ କହିଲେ, କିନ୍ତୁ ବୁଢ଼ା ଯେତେବେଳେ ଏକଥା ଶୁଣିଲା ସେ ଆଉ ଏମାନଙ୍କ ଦୁଃଖ ବୁଝିବ କ’ଣ ଓଲଟା ରାଗିଯାଇ କହିଲା, “ମୋର ଘରଭଡ଼ା ନ ଦେବା ପାଇଁ ଏପରି ଉପାୟ କରିଛ ।” ସେ ଆଉ ଛ’ ଭାଇକୁ ନ ଛାଡ଼େ । ସେମାନଙ୍କୁ ଧରି ଘରେ ବନ୍ଦ କରି ରଖିଲା । ଖାଇବା ପିଇବାକୁ ନପାଇ ସେମାନେ ବଡ଼ ବ୍ୟସ୍ତହେଲେ, ଶେଷରେ ଛ’ ଭାଇଯାକ ବୁଢ଼ାକୁ ବହୁତ କାକୁତିମିନତି କରି କହିବାରୁ ବୁଢ଼ା ମନ ତରଳିଗଲା । ତହୁଁ ସେ କହିଲା, “ତୁମେମାନେ ଏଠାରେ କାମ କରି ଭଡ଼ା ପଇସା ସୁଝି ଦେଇ ଯିବ” । ସେହିଦିନଠାରୁ ଛ’ ଭାଇଯାକ ସେଠାରେ କାମ କରିବାରେ ଲାଗିଲେ ।

 

ସୁନାପୁଅ ଅମରେନ୍ଦ୍ର କୁମାର ବରାବର ମଝିରେ ମଝିରେ ସେ ପାଣିକୁଣ୍ଡକୁ ଦେଖୁଥିଲେ-। ପ୍ରତିଦିନ ପାଣିରେ ଭାସୁଥିବା ଦର୍ପଣରେ ସେ ଭାଇମାନଙ୍କ ମୁହଁ ଦେଖି ପାରୁଥାଏ-। ସେଦିନ ଭାଇମାନଙ୍କ ମୁହଁ ଦର୍ପଣରେ ନ ଦିଶିବାରୁ ସେ ଜାଣିପାରିଲା ଯେ, ତାର ଭାଇମାନଙ୍କୁ ନିଶ୍ଚୟ କିଛି ବିପଦ ପଡ଼ିଛି । ତେଣୁ ସେ ଭାଇମାନଙ୍କୁ ସାହାଯ୍ୟ କରିବାକୁ ବାହାରି ପଡ଼ିଲା ଏବଂ ସ୍ଥିର କଲା ସେ ସୁନା ଶୁଆକୁ ସାଙ୍ଗରେ ଧରି ନିଶ୍ଚୟ ଫେରିବା ।

 

ଅମରେନ୍ଦ୍ର କୁମାର ବାପା ଓ ମାଙ୍କୁ ଏକଥା କହିଲା । ଛ’ ପୁଅଙ୍କୁ ପାଖରେ ଛାଡ଼ି ରାଜା ରାଣୀ ବଡ଼ ବ୍ୟସ୍ତ ହେଉଥିଲେ । ତେଣୁ ତାକୁ ଛାଡ଼ିବାକୁ ରାଜି ହେଲେ ନାହିଁ । ମାତ୍ର ଅମରେନ୍ଦ୍ର ଯେତେବେଳେ ବହୁତ ଜିଦ କଲା, ସେତେବେଳେ ସେମାନେ ବାଧ୍ୟ ହୋଇ ରାଜି ହୋଇଗଲେ ।

 

ତା ପରଦିନ ସକାଳୁ ଅମରେନ୍ଦ୍ର ଘରୁ ବାହାରିଲା । ସେ ଜାଗାକୁ ଜାଗା ପଚାରି ପଚାରି ଚାଲୁଥାଏ । କେତେ ବଣ ପାହାଡ଼ ପାର ହୋଇ ସେ ଶେଷରେ ଯାଇ ଏକ ନଦୀକୂଳରେ ପହଞ୍ଚିଲା-। ସେ ଗୋଟିଏ ବଡ଼ ନଈ ଏବଂ ସେଠାରେ ନଈ ପାର ହେବାର କୌଣସି ଉପାୟ ନ ଦେଖି ସେ ସେଠାରେ ବସି ଭାବିଲା । କିଛି ସମୟ ପରେ ସେ ଦେଖିଲା ସେଠାରୁ ଉତ୍ତର ଆଡ଼କୁ ନଈ କୂଳେ କୂଳେ ଗୋଟିଏ ଛୋଟ ରାସ୍ତା ଯାଇଛି । ତହୁଁ ସେ ସେଇ ରାସ୍ତାରେ ଯିବାକୁ ଲାଗିଲା । ଶେଷରେ କିଛିବାଟ ଯିବା ପରେ ଜଣେ ସନ୍ୟାସୀ ବସି ତପସ୍ୟା କରୁଥିବାର ଦେଖିଲା । ତାକୁ ଦେଖି ସେ ଟିକେ ଆଶ୍ଵସ୍ତ ହେଲା । ପାଖକୁ ଯାଇ ଦେଖିଲା ସନ୍ୟାସୀ ଆଖି ବୁଜି ବସିଛନ୍ତି । ଡାକିଲେ କାଳେ ସନ୍ୟାସୀ ବିରକ୍ତ ହେବେ ସେଥିପାଇଁ ସେ ପାଟି ନ କରି ଚୁପ ହୋଇ ବସି ରହିଲା-। ତହୁଁ ସେ ଭାବିଲା, ଏହି ମହାତ୍ମା ନିଶ୍ଚୟ ପରୀରାଇଜ ବିଷୟ ଜାଣିଥିବେ । ଏହାଙ୍କୁ ସନ୍ତୁଷ୍ଟ କରିପାରିଲେ ନିଶ୍ଚୟ କୃତକାର୍ଜ୍ୟ ହେବି । ତେଣୁ ସେ ସେ ସ୍ଥାନଟିକୁ ପରିଷ୍କାର କରି ସେଠାରେ ହାତଯୋଡ଼ି ବସି ରହିଲା ।

 

ସନ୍ୟାସୀ ଆଖି ଖୋଲିଲା ବେଳକୁ ଦେଖିଲେ, ତାଙ୍କ ଜାଗାଟି ବଡ଼ ପରିଷ୍କାର ହୋଇଛି ଏବଂ ଜଣେ ଜଣେ ଯୁବକ ସେଠାରେ ହାତଯୋଡ଼ି ବସିଛନ୍ତି । ତାଙ୍କୁ ଦେଖି ସେ ଭାବିବାକୁ ଲାଗିଲେ । ତାଙ୍କୁ କୌଣସି ବିଷୟ ଆଉ ଅଛପା ରହିଲା ନାହିଁ । ତହିଁ ସେ ରାଜପୁତ୍ରକୁ କହିଲେ, “ମୁଁ ତୁମ ଉପରେ ବଡ଼ ଖୁସି ହୋଇଛି, ତୁମର ଯାହା ଇଚ୍ଛା ମାଗ” । ଏହା ଶୁଣି ରାଜପୁତ୍ର କହିଲେ, “ମୋର ବାପା ସ୍ଵପ୍ନରେ ଦେଖିଥିବା ଶୁଆଟିକୁ ମତେ ଦିଅ ।”

 

ତହୁଁ ସନ୍ୟାସୀ କହିଲେ, ସେ ଶୁଆଟି ପାଇବା ବଡ଼ କଷ୍ଟକର । ତେଣୁ ଅନ୍ୟ ଯାହା ଇଚ୍ଛା ମାଗ । ମାତ୍ର ରଜାପୁଅ କହିଲା ଯେତେ କଷ୍ଟକର ହେଲେ ମଧ୍ୟ ମୁଁ ସେଇ ଶୁଆଟି ଆଣିବି । ମତେ ଆପଣ ସେଇ ଶୁଆଟି ଦିଅନ୍ତୁ ।

 

ସନ୍ୟାସୀ ଯେତେ ପ୍ରକାର ବୁଝାଇଲେ ମଧ୍ୟ ସେ ରାଜପୁତ୍ର ବୁଝିଲା ନାହିଁ । ଶେଷକୁ ସନ୍ୟାସୀ କହିଲେ–“ସୁନା ଶୁଆ ପରୀରାଇଜର ରାଣୀଙ୍କ ନଅରରେ ଅଛି । ସେ ରାଇଜକୁ ଯିବା ବଡ଼ କଷ୍ଟକର । ତେବେ ଗୋଟିଏ କାମ କଲେ ତୁମେ ଯାଇ ପାରିବ । ଏହାଠାରୁ ପୂର୍ବଦିଗରେ ଥିବା ହ୍ରଦକୁ ପରୀମାନେ ଗାଧୋଇବାକୁ ଆସନ୍ତି । ସେମାନେ ଗାଧୋଇବା ପାଇଁ ପାଣି ଭିତରକୁ ଯିବା ପୂର୍ବରୁ ତାଙ୍କର ଡେଣାଗୁଡ଼ିକ ଖୋଲି ପାଣି କୂଳରେ ଥୋଇଦେଇ ପାଣି ଭିତରକୁ ଯାଆନ୍ତି । ତା’ପରେ ସେମାନେ ବୁଡ଼ି ପହଁରି ବହୁ ସମୟ ଗାଧାନ୍ତି । ତୁମେ ଆଗରୁ ଯାଇ ସେଠାରେ ଲୁଚି ରହିଥିବ । ସେମାନେ ଯାଇ ଗାଧୋଇଲେ ତୁମେ ଡେଣା ଦୁଇଟି ଧରି ଲୁଚି ରହିବ ।

 

ପରୀମାନେ ଗାଧୋଇ ସାରି ଜଣେ ଜଣେ ଆସି ଡେଣା ଲଗାଇ ଉଡ଼ିଯିବେ । ତୁମେ ସେମାନଙ୍କ ମଧ୍ୟରୁ ଜଣଙ୍କର ଡେଣା ଲଗାଇ ପ୍ରସ୍ତୁତ ହୋଇଥିବ ସେମାନେ ଉଡ଼ି ଯିବାପରେ ତୁମେ ଖୁବ ସାବଧାନ ହୋଇ ଉଡ଼ି ଉଡ଼ି ଚାଲିଯିବ । ମାତ୍ର ବଡ଼ ହୁସିଆର ହୋଇଯିବ । କାରଣ, ସେମାନେ ତୁମକୁ ଦେଖିଲେ ବଡ଼ ବିପଦ । ତାପରେ ତୁମେ ଯାଇ ପରୀରାଇଜରେ ପହଞ୍ଚିଯିବ । ସେଠାରେ ଦି’ପହର ପର୍ଯ୍ୟନ୍ତ ତୁମେ କୌଣସିଠାରେ ଲୁଚି ରହିବ । ଦି’ପହର ହୋଇ ଗଲେ ପରୀମାନେ ସମସ୍ତେ ଶୋଇ ପଡ଼ନ୍ତି । ସେଇ ସମୟ ତୁମ ପାଇଁ ଉପଯୁକ୍ତ ସମୟ । ସେତିକିବେଳେ ତୁମେ ରାଣୀଙ୍କ ନଅରକୁ ଯାଇ ଶୁଆଟିକୁ ଧରି ଆସିବ । ହଠାତ ଶୁଆଟିକୁ ଧରି ପାଖରେ ଥିବା ଲୁହା ପଞ୍ଜୁରୀରେ ରଖିଦେବା ତା’ହେଲେ ସେ ଔ କଥା କହି ପାରିବ ନାହିଁ । ତାପରେ ତୁମେ ପଞ୍ଜୁରୀଟି ଧରି ଖୁବ ଶୀଘ୍ର ମୋ ପାଖକୁ ଚାଲି ଆସିବ । ପରୀମାନେ ଉଠିବା ପୂର୍ବରୁ ତୁମେ ମୋ ପାଖରେ ପହଞ୍ଚିଯିବ ତା ନ ହେଲେ ଆଉ ଆସି ପାରିବ ନାହିଁ । ସେ ରାଇଜରେ ବହୁ ମୂଲ୍ୟବାନ ଜିନିଷ ଅଛି । ସୁନ୍ଦର ସୁନ୍ଦର ଜିନିଷ ଦେଖି କିଛି ଲୋଭ କରି ଆଣିବ ନାହିଁ । ଆଣିଲେ ବଡ଼ ବିପଦ-

 

ସେଦିନ ସନ୍ଧ୍ୟାବେଳେ ରାଜପୁତ୍ର ସନ୍ୟାସୀଙ୍କୁ ପ୍ରଣାମ କରି ସେ ହ୍ରଦ କୂଳକୁ ବାହାରି ଗଲା । ହ୍ରଦ ପାଖରେ ଥିବା ଏକ ସୁନ୍ଦର ଗଛରେ ସେ ଯାଇ ଲୁଚି ରହିଲା ।

 

ରାତି ଭଲ କରି ପାହି ନ ଥାଏ । ଆକାଶରେ ଘୁ, ଘୁ ଶବ୍ଦ ଶୁଣି ରାଜାପୁଅ ଚମକି ଚାହିଁଦେଲେ । ଦେଖିଲେ ପରୀମାନେ ଆସୁଛନ୍ତି । ତା ପରେ ସେମାନେ ସେଇ ଗଛ ମୂଳକୁ ଆସିଲେ ଏବଂ ନିଜ ନିଜର ଡେଣା ଓହ୍ଲାଇ ସେଠାରେ ରଖିଦେଇ ପାଣି ଭିତରକୁ ପଶିଗଲେ । ତାପରେ ସେମାନେ ପାଣିରେ ବୁଡ଼ି ଗାଧୋଇବାରେ ଲାଗିଲେ ।

ଏହି ସମୟରେ ରାଜାପୁଅ ଚୁପ ଚୁପ ଓହ୍ଲାଇ ଆସି ଦୁଇଟି ଡେଣା ଧରି ଗଛ ଉପରକୁ ଉଠିଗଲା ଏବଂ ପୂର୍ବପରି ଲୁଚିଗଲା ।

କିଛି ସମୟ ପରେ ପରୀମାନେ ଜଣକ ପରେ ଜଣେ ଓହ୍ଲାଇ ଆସି ଡେଣା ଲଗାଇ ଉଡ଼ିବାରେ ଲାଗିଲେ । ରାଜାପୁଅ ତ ଡେଣା ଲଗାଇ ବସିଥାଏ । ସେ ମଧ୍ୟ ସେମାନଙ୍କଠାରୁ କିଛି ଦୂରରେ ଉଡ଼ିବାରେ ଲାଗିଲା ।

ସମସ୍ତଙ୍କ ପରେ ଯେଉଁ ପରୀ ଆସିଲା, ସେ ତାର ଡେଣା ନ ପାଇ ବଡ଼ ବ୍ୟସ୍ତ ହେଲା । ତହିଁ ସେ ଯାଇ ଏଣେ ତେଣେ ଖୋଜିଲା । ଡେଣା ଖୋଜି, ଖୋଜି ଶେଷରେ ସେ ଯାଇ ସନ୍ୟାସୀଙ୍କ ପାଖରେ ପହଞ୍ଚିଲା । ସନ୍ୟାସୀ ତାର ଡେଣା ଲଗାଇଛନ୍ତି ଭାବି ସେ ତାଙ୍କୁ ଗାଳି ଦେଲେ ।

ଏହା ଦେଖି ସନ୍ୟାସୀ କହିଲା—“ମୁଁ ଏଠାରେ ବସି ତପସ୍ୟା କରୁଛି । ତୁ ମତେ ମିଛରେ ଗାଳି ଦେଉଛୁ । ଜାଣୁ ମୁଁ ବର୍ତ୍ତମାନ କ’ଣ କରିପାରେ ?” ଏହା କହି ସନ୍ୟାସୀ ବଡ଼ ବଡ଼ ଆଖିରେ ଚାହିଁବା ମାତ୍ରେ ତାଙ୍କ ଆଖିରୁ ନିଆଁ ବାହାରିଲା ପରି ଜଣାଗଲା । ସେ ତେଜରେ ପରୀ ଆଉ ରହି ପାରିଲା ନାହିଁ । ସେ ସନ୍ୟାସୀଙ୍କ ଗୋଡ଼ ତଳେ ପଡ଼ି ସମସ୍ତ ଦୋଷ ମାଗି ତାଙ୍କର ସାହାଯ୍ୟ ଭିକ୍ଷା କଲା ।

ସନ୍ୟାସୀ ଏବେ କରନ୍ତି କଅଣ । ସେ ପରୀକୁ ତାର ଡେଣା କଥା କହିଲେ ରଜାପୁଅ ବଡ଼ ବିପଦରେ ପଡ଼ିବ । ଏଣେ ପରୀ ସେଠାରେ ରହିଲେ ରଜାପୁଅ ଫେରିବା ବେଳେ ତାକୁ ଦେଖିବ । ତେବେ ଶୁଆକୁ ନେଇ ରଜାପୁଅ ଯାଇ ପାରିବ ନାହିଁ ।

ବହୁ ସମୟ ଭାବି ଭାବି ସନ୍ୟାସୀ ଗୋଟିଏ ବୁଦ୍ଧି ପାଞ୍ଚିଲେ । “ଚାଲ ଆମେ ସେଠାରେ ଡେଣା ଖୋଜିବା । ବୋଧହୁଏ କୌଣସି ଜନ୍ତୁ ନେଇ ପାଖରେ କୌଣସି ଠାରେ ପକାଇ ଥିବ ।

ଏ କଥା ପରୀ–ମନକୁ ବେଶ ପାଇଲା । ସେ ଦୁହେଁ ତେଣେ ଖୋଜିବା ପାଇଁ ବାହାରି ଗଲେ ।

ରଜାପୁଅ ଉଡ଼ି ଉଡ଼ି ଯାଇ ପରୀରାଇଜରେ ପହଞ୍ଚି ଏକ ବଡ଼ ଗଛରେ ଲୁଚିବସିଲା । ସେଇ ଗଛ ଉପରେ ବସି ସେ ପରୀମାନଙ୍କ କାମ ସବୁ ଦେଖୁଥାଏ । ସେମାନେ ସମସ୍ତେ ନିଜ ନିଜ କାମରେ ଲାଗିଥାନ୍ତି ନା ନା ଆମୋଦ ପ୍ରମୋଦରେ ସେ ରାଇଜ କମ୍ପୁଥାଏ । ଯେମିତି ସୂର୍ଯ୍ୟ ମୁଣ୍ଡ ଉପରକୁ ଗଲେ ସେମିତି ସବୁ ପରୀମାନେ ଶୋଇବାକୁ ଗଲେ ।

ରଜାପୁଅ ତ ଏଇ ସୁଯୋଗ ଖୋଜୁଥିଲା । ସେ ଅତି ସାବଧାନତାର ସହିତ ପରୀରାଣୀଙ୍କ ନଅରକୁ ଗଲା । ନଅର ଭିତରେ ପହଞ୍ଚି ସେ ଦେଖିଲା, ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି । ତା ପରେ ସେ ନଅର ଭିତରେ ଏଣେ ତେଣେ ବୁଲି ସୁନା ଶୁଆକୁ ଖୋଜିବାରେ ଲାଗିଲା ।

ବହୁପ୍ରକାର ଫୁଲ ଫଳ ଗଛରେ ରାଣୀଙ୍କ ନଅର ପୁରି ରହିଥାଏ । ବହୁ ପ୍ରକାର ଚଢ଼େଇ ମଧ୍ୟ ସେ ଗଛମାନଙ୍କରେ ବସିଥାନ୍ତି । ମାତ୍ର ସେମାନଙ୍କ ଭିତରେ ସୁନା ଶୁଆକୁ ସେ କେଉଁଠାରେ ହେଲେ ଦେଖିବାକୁ ପାଇଲା ନାହିଁ । ଏବେ ସେ କରେ କ’ଣ । ଡେରି ହୋଇ ଗଲେ ସମସ୍ତେ ଉଠି ପଡ଼ିଲେ ତା କାମ ଆଉ ହେଇପାରିବ ନାହିଁ । ସେ ମଧ୍ୟ ବେଶୀ ବେଳ ଏଠାରେ ରହିଲେ ଧରା ପଡ଼ିଯାଇପାରେ ଏତିକି ବେଳେ ତାର ଗୋଟିଏ କଥା ମନେପଡ଼ିଲା । ସନ୍ୟାସୀ ପାଖରୁ ଆଇଲାବେଳେ ସେ କହିଥିଲେ—“ରାଣୀ ସେ ଶୁଆଟିକୁ ଭାରି ଭଲ ପାଆନ୍ତି ।” ତହୁଁ ସେ ଭାବିଲେ, ଶୁଆଟି ନିଶ୍ଚୟ ରାଣୀଙ୍କ ପାଖରେ ଥିବ । ତହୁଁ ସେ ନଅର ଭିତରେ ବୁଲି ବୁଲି ଶେଷରେ ରାଣୀଙ୍କ ଶୋଇବା ଘରେ ପହଞ୍ଚିଲା । ସେଠାରେ ଦେଖିଲା ଶୁଆଟା ସେ ଘରେ ଗୋଟିଏ କଣରେ ବସିଛି । ସେ ଭାବିଲା କାଳେ ଶୁଆଟା ପାଟିରେ ରାଣୀ ଉଠି ପଡ଼ିବେ । ତହୁଁ ସେ ଅତି ସାବଧାନ ହୋଇ ଯାଇ ଶୁଆଟିକୁ ଧରି ପକାଇଲା ଏବଂ ତା ପାଟିକୁ ଚିପି ଧରିଲା । ତା’ପରେ ଦେଖିଲାବେଳକୁ ଯୋଡ଼ିଏ ପଞ୍ଜୁରୀ ଥୁଆ ହୋଇଛି । ଗୋଟିଏ ସୁନାର ଓ ଅନ୍ୟଟି ଲୁହାର । ସୁନାର ପଞ୍ଜୁରୀଟି ବଡ଼ ସୁନ୍ଦର । ତାର ସେଇ ପଞ୍ଜୁରୀଟି ଆଣିବାକୁ ଇଚ୍ଛା ହେଉଥାଏ । ମାତ୍ର ଏତିକିବେଳେ ତାର ସନ୍ୟାସୀଙ୍କ କଥା ମନେ ପଡ଼ିଗଲା ଯେ, ‘ସନ୍ୟାସୀ କହିଥିଲେ ଲୁହା ପଞ୍ଜୁରୀରେ ରଖିଲେ ଶୁଆଟି କଥା କହି ପାରେ ନାହିଁ । ତହୁଁ ସେ ଶୁଆଟିକୁ ଲୁହା ପଞ୍ଜୁରୀରେ ରଖି ବନ୍ଦ କରି ଦେଲା । ତା ପରେ ସେ ସେଠାରୁ ଚାଲି ଆସିଲା ।

 

ସେ ନଅର ସୌନ୍ଦର୍ଯ୍ୟ ଦେଖି ରାଜପୁତ୍ର ଆନନ୍ଦିତ ହୋଇ ଯାଇଥିଲା । ତାର ସେଠାରୁ ଆସିବାକୁ ଇଚ୍ଛା ହେଉନଥାଏ । ମାତ୍ର ଡେରି କଲେ ବିପଦ । ସେ ଅତି ଶୀଘ୍ର ଶୀଘ୍ର ସେଠାରୁ ବାହାରି ଆସି ପଞ୍ଜୁରୀଟିକୁ ହାତରେ ଧରି ଉଡ଼ିବାକୁ ଲାଗିଲା । ତାର ଶକ୍ତି ଅନୁସାରେ ସେ ଶୀଘ୍ର ଶୀଘ୍ର ଉଡ଼ି ଉଡ଼ି ଚାଲିଥାଏ ।

 

ଏଣେ ସନ୍ୟାସୀ ପରୀଟି ସହିତ ଡେଣା ଖୋଜିବାରେ ଲାଗି ଥାଆନ୍ତି । ତାଙ୍କର ଏତିକି ବେଳେ ରାଜାପୁଅ କଥା ମନେ ପଡ଼ିଗଲା । ପରୀଟିକୁ ସାଙ୍ଗରେ ନେଇ ଗଲେ ସେ ରାଜପୁଅକୁ ତାର ଡେଣା ଓ ଶୁଆ ସହ ଦେଖିବ; ତେଣୁ ସେ ପରୀଟିକୁ କହିଲା—“ମୋର ଜଣେ ବନ୍ଧୁ ଆସିବାର ଅଛି । ତୁମେ ଏହିଠାରେ ଟିକେ ଅପେକ୍ଷା କର । ମୁଁ ମୋର ବନ୍ଧୁଙ୍କ ସହିତ ଆସୁଛି । ସେ ମଧ୍ୟ ଆମକୁ ସାହାଯ୍ୟ କରିବେ ।

 

ପରୀଟି ଏ କଥାରେ ରାଜିହୋଇ ସେ ଗଛମୂଳେ ବିଶ୍ରାମ ନେଲା । ସନ୍ୟାସୀ ଫେରି ଆସି ଦେଖିଲା ବେଳକୁ ସୁନା ଶୁଆ ରାଜା ପୁଅ ସହିତ ଠିଆ ହୋଇଛି । ସନ୍ୟାସୀ ତାକୁ ସବୁକଥା କହିଲେ । ଶେଷରେ ସେ କହିଲେ, ଏ ଡେଣା ଦୁଇଟି କୌଣସି ଗାତରେ ଲୁଚାଇ ଦେଇ ଆସ । ତାପରେ ରାଜାପୁଅ ଏକ ଗାତରେ ଡେଣା ଦୁଇଟି ଲୁଚାଇ ଦେଲା ପରେ ସେମାନେ ଯାଇ ପରୀ ପାଖରେ ସେ ଗଛମୂଳେ ପହଞ୍ଚିଲେ । ତାପରେ ତିନିଜଣ ଯାକ ମିଶି ଡେଣା ଖୋଜି ବାହାରିଲେ । ପରୀଟି କିଛି ଦୂରରୁ ଏକ ଗାତରେ କୌଣସି ଜିନିଷ ଚିକ ଚିକ କରୁଥିବାରୁ ଦେଖି ତାର ଡେଣା ବୋଲି ଭାବିଲା ଏବଂ ବଡ଼ ଖୁସି ହୋଇ ବଡ଼ ପାଟିରେ କହିଲା—“ହେଇଟି ମୋର ଡେଣା” । ତା’ପରେ ରାଜପୁତ୍ର ସେ ଗାତରୁ ଡେଣା ଦୁଇଟି ଆଣି ପରୀକୁ ଦେଲା ।

 

ଡେଣା ଦୁଇଟି ପାଇ ସେ ବଡ଼ ଖୁସି ହୋଇଗଲା । ଭାବିଲା ବୋଧହୁଏ କୌଣସି ଜନ୍ତୁ ଡେଣା ଦୁଇଟି ଆଣି ଏପରି ଭାବରେ ପକାଇ ଦେଇଛି । ତାପରେ ରାଜାପୁଅକୁ ଗୋଟିଏ ବଇଁଶୀ ଦେଇ କହିଲା, “ଯଦି ତୁମେ କୌଣସି ବିପଦରେ ପଡ଼ ତେବେ ଏହାକୁ କେବଳ ରାତିରେ ବଜାଇଲେ ମୁଁ ଆସିବି ଏବଂ ତୁମକୁ ସାହାଯ୍ୟ କରିବି । ଏହା କହି ପରୀଟି ତାର ଡେଣା ଲଗାଇ ଉଡ଼ିଗଲା ।

 

ସନ୍ୟାସୀ ତ ଆଗରୁ ରଜାପୁଅ ଉପରେ ବଡ଼ ଖୁସି ହୋଇଥିଲେ । ସେ ଶୁଆଟିକୁ ନେଇ ଫେରି ଆସିବାରୁ ମଧ୍ୟ ଆହୁରି ଅଧିକ ଖୁସି ହୋଇଗଲେ । ରାଜାପୁଅ ସନ୍ୟାସୀଙ୍କୁ ପ୍ରଣାମ କରି ତାଙ୍କ ଠାରୁ ବିଦାୟ ନେଇ ଆସିଲାବେଳେ ସନ୍ୟାସୀ ଗୋଟିଏ ନାଲି କନା ଦେଇ କହିଲେ—ତୁମେ ବହୁ ପରିଶ୍ରମ ପରେ କ୍ଳାନ୍ତ ହୋଇ ପଡ଼ିଲେ ଏହି ନାଲିକନାରେ ମୁହଁ ପୋଛିଲେ ତୁମର କ୍ଳାନ୍ତି ଦୂର ହେବ । ଯଦି ତୁମେ କୌଣସି ବିପଦରେ ପଡ଼ିଥାଅ ତାହେଲେ ଏହି ମୁହଁ ପୋଛିଲା ପରେ ତୁମର ସଦବୁଦ୍ଧି ମଧ୍ୟ ଆସିବ–ତୁମକୁ ବହୁ ପ୍ରକାର ଉପାୟ ଦେଖାଯିବ ।

 

ତାପରେ ରଜାପୁଅ ସୁନା ଶୁଆଟି ଧରି ଫେରିଲେ । କିଛିବାଟ ଆସିଲା ପରେ ତାର ବଡ଼ଭାଇମାନଙ୍କ କଥା ମନେ ପଡ଼ିଲା । ସେ ବଡ଼ ଭାଇମାନଙ୍କ କଥା ଭାବି ବଡ଼ ବ୍ୟସ୍ତ ହେଲା । ସେ ଭାବିବାକୁ ଲାଗିଲା–ମୁଁ ତ ପରୀରାଇଜକୁ ଗଲି, ସୁନା ଶୁଆ ଆଣିଲି । ମାତ୍ର ବଡ଼ଭାଇମାନଙ୍କୁ କେଉଁଠାରେ ପାଇଲି ନାହିଁ । ସେମାନଙ୍କୁ ଖୋଜିବା ପାଇଁ ସ୍ଥିର କଲା । ଏହିପରି ଭାବି ଭାବି ଯାଉଥାଏ, ବାଟରେ ସନ୍ଧ୍ୟା ହୋଇଗଲା । କ୍ରମେ କ୍ରମେ ଗାଢ଼ ଅନ୍ଧାର ହେଲା । ମୁହଁକୁ ମୁହଁ ଦେଖାଗଲା ନାହିଁ । ଆଗରେ ଏକ ବଣ; ସେ ସେଠାରେ ଠିଆହୋଇ ନାଲିକନାରେ ମୁହଁ ପୋଛିଲା-। ତାପରେ ତାର ପରୀ ଦେଇଥିବା ବଇଁଶୀ କଥା ମନେ ପଡ଼ିଲା । ସେ ଅଧରାତି ହେଲେ, ବଇଁଶୀ ବଜାଇ ପରୀକୁ ଡାକିବ ଏବଂ ତାକୁ ଭାଇମାନଙ୍କ କଥା ପଚାରିବାକୁ ସ୍ଥିର କଲା । ତାପରେ ସେ ବଣ ପାଖରେ ଗୋଟିଏ କୁଡ଼ିଆ ଥିବାର ଦେଖିଲା । କୁଡ଼ିଆ ଆଡ଼କୁ ଏ ଅନ୍ଧାରରେ କେମିତି ଯିବ ସ୍ଥିର କରି ପାରିଲା ନାହିଁ । ସେତେବେଳକୁ ବାଘ, ଭାଲୁ ପ୍ରଭୃତି ବଣ ଜନ୍ତୁଙ୍କ ଗର୍ଜନରେ ସେ ବଣ କମ୍ପୁଥାଏ । ଗଛରୁ ପତ୍ରଟିଏ ପଡ଼ିଲେ ମଧ୍ୟ ବଡ଼ ଭୟ ଲାଗୁଥାଏ । ରାଜାପୁଅ କ’ଣ କରିବ କିଛି ଠିକ କରିପାରିଲା ନାହିଁ । କିପରି ଅଧରାତି ହେବ ସେ ପରୀକୁ ଡାକିବ ଏହି କଥା କେବଳ ଭାବିବାରେ ଲାଗିଥାଏ । ଶେଷରେ ସେ ସେହି କୁଡ଼ିଆ ଆଡ଼କୁ ଗଲା । ସେଠାକୁ ଯାଇଁ ଯେତେବେଳେ ବୁଝିଲା ଯେ, ସେ କୁଡ଼ିଆରେ ବାଟୋଇମାନେ ଭଡ଼ାଦେଇ ରହନ୍ତି ସେତେବେଳେ ତାର ମନ ଟିକେ ଦମ୍ଭ ହେଲା । ସେ ଏକ ଦୀର୍ଘ ନିଶ୍ଵାସ ଛାଡ଼ି ସେଠାରେ ବସି ପଡ଼ିଲା । ଜଗୁଆଳ ବୁଢ଼ା ତା ପାଖକୁ ଯେତେବେଳେ ଆସିଲା ସେତେବେଳେ ତାକୁ ଦେଖି ବଡ଼ ଖୁସି ହେଲା ଏବଂ ରଜାପୁଅକୁ ସାଙ୍ଗରେ ନେଇ ଗୋଟିଏ ଘରେ ରଖାଇ ଦେଲା ।

 

ରଜାପୁଅ ସେଠାରେ ରହିବାରୁ ଜଗୁଆଳ ବୁଢ଼ାର ଲୋକମାନେ ତାର କଥା ବୁଝିବା କଥା । ମାତ୍ର ଜଗୁଆଳ ବୁଢ଼ାର ଲୋକ ହିସାବରେ ଯେଉଁମାନେ ଆସି ତାର ଭଲମନ୍ଦ ବୁଝିଲେ ସେମାନଙ୍କୁ ଦେଖି ରଜାପୁଅ ସନ୍ଦେହ ହେଲା । ତେଣୁ ସେ ବୁଢ଼ାକୁ ପାଖକୁ ଡାକି ପଚାରିଲା । ବୁଢ଼ା ସବୁ କଥା କହିଲା । ବୁଢ଼ାଠାରୁ ସବୁ କଥା ଶୁଣି ସାରି ରାଜାପୁଅ ବୁଢ଼ାକୁ କହିଲା, “ମୁଁ ତୁମର ସମସ୍ତ ଟଙ୍କା ଦେଇଦେବି । ତୁମେ ତାଙ୍କୁ ଛାଡ଼ିଦିଅ ।” ବୁଢ଼ାର ତ ଟଙ୍କା ଦରକାର ଏକଥା ଶୁଣି ସେ ବଡ଼ ଖୁସି ହୋଇଗଲା । ତହୁଁ ରଜାପୁଅ ବୁଢ଼ାକୁ ତାର ସମସ୍ତ ଟଙ୍କା ଦେଇଦେଲା ।

 

ପରଦିନ ସକାଳୁ ବୁଢ଼ା ରଜାପୁଅ ମାନଙ୍କୁ ଛାଡ଼ିଦେଲା ।

 

ତାଙ୍କର ସାନ ଭାଇ ଯେ ସମସ୍ତ ଟଙ୍କା ଦେଇଛି ଏକଥା ସେମାନେ ଆଦୌ ଜାଣନ୍ତି ନାହିଁ । ସେମାନେ ଭାବିଲେ ଯେ, ବୁଢ଼ା ତାଙ୍କ ଠାରୁ ତାର ସମସ୍ତ ଟଙ୍କା ପାଇଯିବାରୁ ସେମାନଙ୍କୁ ଛାଡ଼ିଦେଲା । ତେଣୁ ସେମାନେ ନିଜ ରାଜ୍ୟକୁ ଯିବାକୁ ବାହାରିଲେ ।

 

ସେମାନେ ଯିବା ପରେ ସାନପୁଅ ବାହାରିଲା । କିଛି ବାଟ ଯିବାପରେ ସେ ତାର ବଡ଼ ଭାଇମାନଙ୍କୁ ଭେଟିଲା । ମାତ୍ର ସେମାନେ ସାନଭାଇକୁ ସୁନା ଶୁଆ ସହିତ ଦେଖି ମନେ ମନେ ବଡ଼ ରାଗିଲେ । ମାତ୍ର କିଛି ନ କହି ଚାଲିବାରେ ଲାଗିଲେ ।

 

ସେମାନେ କିଛିଦୂର ଯିବାପରେ ବଡ଼ଭାଇ ଟିକେ ବସିବାକୁ କହିଲା । ତହୁଁ ସେମାନେ ଗୋଟିଏ ବଡ଼ ଗଛମୂଳେ ବସିଲେ । ତାପରେ ବଡ଼ ଭାଇ ଟିକେ ପାଣି ପିଇବା ପାଇଁ କହିଲା । ଏକଥା ଶୁଣି ସାନଭାଇ କହିଲା, “ମୁଁ କେଉଁଠାରେ ପାଣି ଅଛି ଦେଖିଆସେ । ସେଠାକୁ ଯାଇ ପିଇ ଆସିବା । ତାପରେ ସାନଭାଇ ସେଠାରୁ ଚାଲିଗଲା ।

 

ସାନଭାଇ ଚାଲିଗଲା ପରେ ସମସ୍ତେ ତାଙ୍କର ଭବିଷ୍ୟତ କଥା ଭାବିଲେ । ସାନଭାଇ ଶୁଆ ଦେଇ ରାଜାଙ୍କଠାରୁ ଅଧେ ରାଜ୍ୟ ଏକା ନେଇଯିବ । ତେଣୁ ସେମାନେ ଏକଥା ଭାବି ବଡ଼ ଦୁଃଖିତ ହେଲେ । ତେଣୁ ସେମାନେ ନାନାପ୍ରକାର କଥା ଭାବିବାକୁ ଲାଗିଲେ । ଶେଷରେ ଯେକୌଣସି ମତେ ସାନଭାଇ ପାଖରୁ ଶୁଆଟିକୁ ଛଡ଼ାଇ ନେବା ପାଇଁ ସ୍ଥିର କଲେ ଏବଂ ତାକୁ ବାଟରେ ଛାଡ଼ି ଦେଇ ରାଜାଙ୍କୁ ଶୁଆ ଦେଇ ଅଧେ ରାଜ୍ୟ ପାଇବେ ବୋଲି ବଡ଼ ଖୁସି ହେଲେ ।

 

କିଛି ସମୟ ପରେ ସାନଭାଇ ଫେରି ଆସି ପାଖରେ ଗୋଟିଏ କୂଅ ଥିବାର କହିଲା । ତା’ପରେ ସମସ୍ତେ ସେଠାକୁ ଗଲେ । ସାନଭାଇ ନଇଁପଡ଼ି ପାଣି କାଢ଼ିଲାବେଳେ ତାକୁ କୂଅକୁ ପେଲିଦେଲେ । ଏହା ପରେ ସମସ୍ତେ ବଡ଼ ଖୁସିରେ ଶୁଆଟିକୁ ଧରି ବାହାରିଲେ ।

 

ରାଜାପୁଅ କୂଅ ଭିତରେ ପଡ଼ି କ’ଣ କରିବ ସ୍ଥିର କରି ପାରିଲା ନାହିଁ । ତା ପରେ ବହୁ କଷ୍ଟରେ ସେ ଉପରକୁ ଆସିଲା । ସେତେବେଳେ ସନ୍ଧ୍ୟା ହୋଇଯାଉଥାଏ । ଏକୁଟିଆ ବଣ ଭିତରେ ତାକୁ ଡର ମାଡ଼ିଲା । ଦେହ ଗୋଟିକ ଯାକ ପାଣିରେ ଓଦା ହୋଇଯାଇଥାଏ । ସେ ନାଲି କନାଟି ବାହାର କଲାବେଳକୁ ସେଇଟି ମଧ୍ୟ ଓଦା ହୋଇଯାଇଥାଏ । ଓଦା ନାଲି କନାଟି ବାହାର କରି ତାକୁ ଚୁପୁଡ଼ି ମୁହଁଟି ପୋଛିବା ସଙ୍ଗେ ସଙ୍ଗେ ତାକୁ ଭାରି ଭଲ ଲାଗିଲା । ତାର ସଙ୍ଗେ ସଙ୍ଗେ ପରୀ ଦେଇଥିବା ବଇଁଶୀ କଥା ମନେ ପଡ଼ିଲା । ମାତ୍ର ସେଇଟା ଯେ ତା ପାଖରେ ନଥିଲା । ତହୁଁ ସେ ବଡ଼ ବ୍ୟସ୍ତ ହେଲା । ତାର ଭାଇମାନେ ସେଖଣ୍ଡିକ ମଧ୍ୟ ନେଇଯାଇଛାନ୍ତି ବୋଲି ସେ ଭାବିଲା-

 

ଏହାପରେ କ’ଣ କରିବ କିଛି ଭାବି ନ ପାରି ସେଠାରେ ସେ ବସି ପଡ଼ିଲା । କିଛି ସମୟ ପରେ କିଛି ଦୂରରେ ତାର ବଇଁଶୀ ଖଣ୍ଡି ପଡ଼ିଥିବାର ଦେଖି ସେ ବଡ଼ ଖୁସି ହୋଇଗଲା । ଭାବିଲା ବୋଧହୁଏ ତାର ଭାଇମାନେ ଏଟିକୁ ବିଶେଷ ଦରକାର ହେବ ନାହିଁ ବୋଲି ଭାବି ଛାଡ଼ି ଯାଇଛନ୍ତି । ସେ ବଡ଼ ଆନନ୍ଦର ସହିତ ବଇଁଶୀଟିକୁ ଉଠାଇ ଆଣି ରଖିଲା ମାତ୍ର ସେତେବେଳକୁ ରାତି ବେଶୀ ହୋଇ ନ ଥାଏ । ଅଧରାତିରେ ବଇଁଶୀଟି ବଜାଇବାକୁ ପରୀ କହିଥିବା କଥା ତାର ମନେ ପଡ଼ିଲା । ତେଣୁ ସେ ସେଠାରେ ବସି ରହିଲା ।

 

ଅଧରାତି ହେବାରୁ ସେ ତାର ବଇଁଶୀଟି ବଜାଇବା ସଙ୍ଗେ ସଙ୍ଗେ ଆକାଶରେ ମେଘ ଘୁ, ଘୁ ଶବ୍ଦ ଶୁଣାଗଲା ଏବଂ ପରୀଟି ଆସି ତାର ଆଗରେ ଠିଆ ହେଲା । ରାଜାପୁଅ ପରୀକୁ କହିଲା, ମତେ ନଅରକୁ ନେଇ ଚାଲ । ତହୁଁ ପରୀ ତାକୁ ଧରି ଉଡ଼ିବାକୁ ଲାଗିଲା ।

 

ପରଦିନ ରାଜା ବିକ୍ରମସେନ ବସିଥିବାବେଳେ ତାଙ୍କ ଆଗରେ ଛାଡ଼ିଦେଲା ! ହଠାତ ଏପରି ଭାବରେ ପୁଅକୁ ଦେଖି ରାଜା ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପୁଅକୁ ପଚାରିଲେ–“ସୁନା ଶୁଆ କାହିଁ ? ତୋର ଭାଇମାନେ କାହାନ୍ତି ?”

 

ଏହା ଶୁଣି ରଜାପୁଅ କହିଲା, ଭାଇମାନେ ସାଙ୍ଗରେ ଶୁଆ ନେଇ ଆସୁଛନ୍ତି । ଏହାପରେ ସାନପୁଅ ଚାଲିଗଲା ।

 

ଏହାପରେ ଛ’ ଭାଇମାନେ ସୁନା ଶୁଆ ଧରି ଆସି ପହଞ୍ଚିଲେ । ରଜାଙ୍କୁ ଶୁଆ ଦେଇ ସେମାନେ ଅଧେ ରାଜ୍ୟ ମାଗିଲେ । ମାତ୍ର ସେମାନେ ଯେତେବେଳେ ସାନପୁଅକୁ ଦେଖିଲେ ସେତେବେଳେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଏହାପରେ ସାନପୁଅ ଯେତେବେଳେ ଶୁଣିଲା ଯେ ବଡ଼ ଭାଇମାନେ ଅଧେ ରାଜ୍ୟ ମାଗୁଛନ୍ତି ସେତେବେଳେ ସେ କିପରି ପରୀ ରାଇଜକୁ ଗଲା, ସେଠାରୁ କିପରି ଶୁଆ ଆଣିଲା, ତାପରେ ଫେରିଆସିଲା କିପରି ଭାଇମାନଙ୍କୁ ମୁକୁଳାଇଲା, ସବୁ କଥା କହିଲା, ମାତ୍ର ରଜା ସେ ସବୁ କଥା ଶୁଣିଲେ ନାହିଁ । ତାଙ୍କର ସତ୍ୟ ଅନୁସାରେ ସେ ଛ’ ବଡ଼ପୁଅଙ୍କୁ ଅଧେ ରାଜ୍ୟ ଦେଇଦେଲେ । ରାଜା ତ ସୁନା ଶୁଆ ପାଇ ବଡ଼ ଖୁସି ଥାଆନ୍ତି । ସାନ ପୁଅ ମିଛ କହିଛି ବୋଲି ଭାବି ତାକୁ ଘରୁ ବାହାର କରିଦେଲେ ।

 

ସୁନା ଶୁଆ ଭଲ କଥା କହିପାରେ ବୋଲି ରାଜା ଜାଣିଥିଲେ । ମାତ୍ର ଦିନେ ହେଲେ ରାଜା ସେ ଶୁଆ ଠାରୁ ପଦେ ହେଲେ କଥା ଶୁଣିବାକୁ ପାଇଲେ ନାହିଁ । ପ୍ରଥମେ ସେ ଭାବିଲେ ଯେ ବୋଧହୁଏ ଶୁଆ ନୂଆ ନୂଆ କଥା କହୁନାହଁ । ପରେ କହିବ ।

 

ଏହାପରେ ପ୍ରତିଦିନ ରାଜା ବିକ୍ରମସେନ ସେ ଶୁଆ ସହିତ କଥାବାର୍ତ୍ତା କରନ୍ତି । ମାତ୍ର ଶୁଆଠାରୁ କୌଣସି କଥା ଶୁଣିବାକୁ ପାଆନ୍ତି ନାହିଁ । ଏହିପରି ଦିନ ପରେ ଦିନ ଯିବାକୁ ଲାଗିଲା । ତେଣୁ ରାଜା ବଡ଼ ରାଗିଗଲେ । ସେ ଭାବିଲେ ବୋଧହୁଏ ତାଙ୍କର ପୁଅମାନେ କୌଣସି ମତେ ଅଧେ ରାଜ୍ୟ ନେବା ପାଇଁ ଏପରି ମିଛରେ ଗୋଟିଏ ଶୁଆ କେଉଁଠାରୁ ଆଣି ତାଙ୍କୁ ଠକେଇଛନ୍ତି । ତେଣୁ ସେ ଛ’ ବଡ଼ପୁଅଙ୍କୁ ଡକାଇ କହିଲେ ଏ ପରୀ ରାଇଜର ଶୁଆ ନୁହେଁ । କାରଣ ସେ ଶୁଆ ହୋଇଥିଲେ ଏ ଭଲ କହିପାରନ୍ତା । କିନ୍ତୁ ଏ ଜମା କଥା କହୁ ନାହିଁ । ତେଣୁ ତୁମେମାନେ ମତେ ଠକାଇବାରୁ ପ୍ରାଣଦଣ୍ଡ ପାଇବ

 

ସାନପୁଅ ଏ କଥା ଶୁଣିବାକୁ ପାଇଲା । ସେ ଭାବିଲା ଶୁଆଟି ପଞ୍ଜୁରୀରେ ଥିବାରୁ କଥା କହିପାରେ ନାହିଁ । କାରଣ ସନ୍ୟାସୀ କହିଥିଲେ, ଲୁହା ପଞ୍ଜୁରୀରେ ଶୁଆଟି କଥା କହିପାରେ ନାହିଁ-। ତହୁଁ ତା ମନ ବଡ଼ ଖୁସି ହୋଇଗଲା । ସେ ଯାଇଁ ରାଜାଙ୍କ ପାଖରେ ପହଞ୍ଚି କହିଲା–

 

“ମୁଁ ଶୁଆଟିକୁ କଥା କୁହାଇ ଦେବି ।” କାରଣ ମୁଁ ତାକୁ ଆଣିଥିବାରୁ ସେ ଯେପରି କଥା କହିବ ମୁଁ ଜାଣେ ।”

 

ଏ କଥା ଶୁଣି ରାଜା କହିଲେ, “ଯଦି ଶୁଆ କଥା କହେ, ତାହେଲେ ତୁମେ ଅଧେ ରାଜ୍ୟ ପାଇବ ।”

 

ତହୁଁ ସାନପୁଅ ଶୁଆଟିକୁ ପଞ୍ଜୁରୀରୁ ବାହାର କରି ଛାଡ଼ିଦେଲେ । ତାହାପରେ ଶୁଆଟି ନାନା ପ୍ରକାର କହିବାକୁ ଲାଗିଲା ।

 

ରାଜା ଏହା ଦେଖି ବଡ଼ ଖୁସି ହୋଇଗଲେ । ସେ ପଚାରିଲେ “ତତେ କିଏ ଆଣିଛି ।”

 

ଶୁଆ କହିଲା–“ଅମରେନ୍ଦ୍ର କୁମାର ।” ଏହା ଶୁଣି ରାଜା ବଡ଼ ଆନନ୍ଦିତ ହେଲେ ଏବଂ ତାଙ୍କର ବଡ଼ପୁଅମାନେ ରାଜ୍ୟ ଲୋଭରେ ମିଛରେ ଏପରି କରିଥିବାରୁ ସେମାନଙ୍କୁ ରାଜ୍ୟରୁ ବାହାର କରିଦେଲେ । ଏହାପରେ ଅଧେ ରାଜ୍ୟ ପାଇବେ କଅଣ ସମସ୍ତ ରାଜ୍ୟର ମାଲିକ ହେଲା ସାନପୁଅ ଅମରେନ୍ଦ୍ର କୁମାର ।

 

ବୁଦ୍ଧି ଥିଲେ ଅସାଧ୍ୟ ସାଧନ କରାଯାଇ ପାରେ

Image

 

ଚନ୍ଦ୍ର ମଣ୍ଡଳ କଥା

 

ଚନ୍ଦ୍ର ମଣ୍ଡଳ ବୋଲି ଗୋଟିଏ ଦେଶ ଥିଲା । ସେ ଦେଶରେ ରାଜାଙ୍କ ନାଁ ଥିଲା କୁମାର ସିଂହ । ତାଙ୍କର ନାଁ ଟି ଯେମିତି ଗୁଣ ମଧ୍ୟ ସେମିତି । ରାଜା ବଡ଼ ଧାର୍ମିକ ଓ ଦୟାଳୁ । ରାଜାଙ୍କର ରୂପ ଗୁଣକୁ ଚାହିଁ ରାଣୀ ମନ୍ମଥ ଚନ୍ଦ୍ରିକା ମଧ୍ୟ କୌଣସି ଗୁଣରେ ବା ରୂପରେ କମ ନୁହନ୍ତି । ପ୍ରଜାମାନଙ୍କ ସୁବିଧା ପ୍ରତି ରାଜା ରାଣୀ ଉଭୟ ବଡ଼ ବ୍ୟସ୍ତ ଥାଆନ୍ତି । ପ୍ରଜାଙ୍କୁ ନିଜର ପୁଅ ପରି ଦେଖନ୍ତି । ରାଣୀ ସମସ୍ତ କାର୍ଯ୍ୟରେ ରାଜାଙ୍କୁ ସାହାଯ୍ୟ କରନ୍ତି । ରାଜାଙ୍କ ସାଙ୍ଗରେ ପ୍ରଜାଙ୍କ ଦୁଃଖସୁଖ ବୁଝନ୍ତି ।

 

ରାଜା ଶିକାରକୁ ଗଲେ ରାଣୀ ମଧ୍ୟ ତାଙ୍କ ସାଙ୍ଗରେ ଯାଆନ୍ତି । ପଶୁ ପକ୍ଷୀ ପାଳିବାରେ ରାଜା ରାଣୀଙ୍କର ବଡ଼ ଆନନ୍ଦ । ସେମାନେ ଶିକାରକୁ ଯାଇ ପଶୁପକ୍ଷୀ ମାରନ୍ତି ନାହିଁ–କେବଳ ପଶୁପକ୍ଷୀ ଧରିବାରେ ତାଙ୍କର ଶିକାର ସମୟ କଟେ । ପଶୁଶାଳାରେ ବହୁତ ପ୍ରକାର ପଶୁପକ୍ଷୀଙ୍କର ଯତ୍ନ ନେବାକୁ ବହୁତ ଲୋକ ମଧ୍ୟ ଥାଆନ୍ତି ।

 

ରାଜାରାଣୀ ତାଙ୍କ ପାଖରେ ଗୋଟିଏ ପାଟଭାଲି ଶୁଆ ଓ ଗୋଟିଏ ସୁନାମୁଖୀ ଶାରୀ ରଖି ଥାଆନ୍ତି । ସେ ଶୁଆ ଶାରୀ ଦୁଇଟା ଶାସ୍ତ୍ର ପୁରାଣରେ ପଣ୍ଡିତ ଏବଂ ଭଲ କଥା କହି ପାରନ୍ତି । ରାଜା ରାଣୀ ସବୁ ବିଷୟରେ ସେ ଶୁଆ ଶାରୀଙ୍କଠାରୁ ପରାମର୍ଶ ନିଅନ୍ତି । ସବୁବେଳେ ତାଙ୍କୁ ପାଖରେ ରଖି କଥା ଶୁଣୁଥାନ୍ତି । ରାଜା ଶୁଆଟିକୁ ଓ ରାଣୀ ଶାରୀଟିକୁ ରଖି ଥାଆନ୍ତି । ଶୁଆ ରାଜାଙ୍କ ତରଫ ଧରି ଓ ଶାରୀଟି ରାଣୀଙ୍କ ତରଫ ଧରି କଥା କହେ ।

 

ରାଜା ରାଣୀ ଦିନେ ଏକାଠି ବସିଥିଲାବେଳେ ଦୁଇଜଣଙ୍କ ମଧ୍ୟରେ କଳିକଜିଆ ହେଲା-। ଏତିକି ବେଳେ ଶାରୀ କହିଲା, “ଦୁନିଆରେ କେହି ବେଶୀ ଲୋଭ କରିବା ଭଲ ନୁହେଁ-।” ଶୁଆ କହିଲା କାହିଁକି ? ମତେ ସେ କଥା ବୁଝେଇ କହ ।

 

ରାଜା ତ ରାଣୀକୁ ଅତି ଭଲ ପାଆନ୍ତି । ସେ ଶାରୀ କଥା ଶୁଣି ଭାବିଲେ ମୁଁ ରାଣୀକୁ ଅତି ଭଲ ପାଏ ବୋଲି ଆଜି ଏ କଜିଆ ଲାଗିବାରୁ ରାଣୀଙ୍କ ଶାରୀ ବୋଧହୁଏ ଏ କଥା ମତେ ଦେଖେଇ କହିଲା । ହଉ ମୋ ଶୁଆ ତ ଏ କଥାକୁ ଧରିଲାଣି । ଶାରୀ କ’ଣ କହୁଛି କହୁ ।

 

ରାଣୀ ଏ କଥା ଶୁଣି ବଡ଼ ଖୁସି । ମାତ୍ର ପଦାକୁ କିଛି କହୁ ନ ଥାଆନ୍ତି ।

 

ଶାରୀ କହିଲା ହେ ଶୁଆ ! ଅତିଟା କିପରି ଖରାପ ଶୁଣ–ଗୁଡ଼ାଏ ଖାଇଲେ ହଜମ ନ ହୋଇ ଅଜୀର୍ଣ୍ଣ ହୁଏ; ଅତି ଗାଧୋଇଲେ ସର୍ଦ୍ଦି ହୁଏ ଏବଂ ଦେହ ଖରାପ ହୁଏ, ଝିଅ ପୁଅ, ଚାକର ଚାକରାଣୀଙ୍କୁ ଅତି ଭଲ ପାଇଲେ ସେମାନେ ଶେଷରେ ଉତ୍ତର ଦିଅନ୍ତି । ଏହିପରି ଯେ କୌଣସି ବିଷୟ ଅତି ଅଧିକ ହେଲେ ଖରାପ ।

 

ଏତିକି ଶୁଣି ରାଜାଙ୍କ ଧାରଣା ମଧ୍ୟ ଟିକେ ବେଶୀ ହେଲା ଯେ ସେ ରାଣୀକୁ ଅତି ଭଲ ପାଉଥିବାରୁ ରାଣୀ ଶାରୀ ଏ କଳି ଲାଗିବାରୁ ଦେଖେଇ ଦେଖେଇ କହୁଛି । ତେବେ କେହି କିଛି ପଦାକୁ ଫିଟେଇ କହି ନଥାନ୍ତି ।

 

ଏହା ପରେ ଶୁଆ ଶାରୀକୁ କହିଲା—ଆଛା ଶାରୀ, କିଏ କାହାକୁ ଅତି ଭଲ ପାଇ ହଇରାଣ ହୋଇଛି ବା ଦୁଃଖ କଷ୍ଟ ସହିଛି ଗୋଟିଏ ଉଦାହରଣ ଦେ’ନା ?

 

ଏ କଥା ଶୁଣି ଶାରୀ କହିଲା–ଅମ୍ବୁଜ ବାହାନ ବୋଲି ଜଣେ ରାଜା ଥାଆନ୍ତି । ତାଙ୍କ ରାଣୀଙ୍କ ନାଁ କୁସୁମାବତୀ । ତାଙ୍କର ପାତ୍ର ମନ୍ତ୍ରୀମାନେ ବଡ଼ ବୁଦ୍ଧିମାନ । କୌଣସି ଜିନିଷରେ ଅଭାବ ନ ଥାଏ । ଚାକର ବାକର ବହୁତ ଥିଲେ ମଧ୍ୟ ରାଜା ରାଣୀଙ୍କ ନିଜ ହାତ ରାନ୍ଧଣା ଛଡ଼ା ଆଉ କିଛି ଖାଆନ୍ତି ନାହିଁ । ରାଜାଙ୍କର ପୁଅ ନ ଥାନ୍ତି । କେବଳ ଗୋଟିଏ ବୋଲି ଝିଅ । ରାଜା ରାଣୀ ଅତି ଶରଧାରେ ତାକୁ ଡାକନ୍ତି କୃଷ୍ଣତୁଳସୀ ।

 

ଦିନେ ରାଣୀ ରାଜାଙ୍କୁ ଖାଇବାକୁ ଦେଇଛନ୍ତି, ଏତିକିବେଳେ ତାଙ୍କର ପେଟ ଟିକିଏ ଖରାପ ଲାଗିଲା । ସେ ଝିଅକୁ ଡାକି କହିଲେ, “ଲୋ ମା ! ତୁ ଟିକେ ବାପାଙ୍କ ପାଖରେ ଥାଆ । ବାପାକୁ ପଛରେ ଖାଇବାକୁ ଦବୁ । ” ଏହା କହି ସେ ଚାଲିଗଲେ । ଏହା ଭିତରେ ରାଜାଙ୍କ ଥାଳୀରୁ ଭାତ ସରିଗଲା । କୃଷ୍ଣ ତୁଳସୀ ଭାତ ନେଇ ବାପାଙ୍କୁ ଦେଲା । ରାଜା ଏତିକିବେଳେ କାହିଁକି କେଜାଣି ମନେ ମନେ ଭାବି ଟିକେ ହସିଦେଲେ ।

 

କୃଷ୍ଣତୁଳସୀ ତ ଆଉ ପିଲା ହୋଇ ନାହିଁ । ବାପାଙ୍କ ହସ ଦେଖି ସେ ଭାବିବାକୁ ଲାଗିଲା–ମୁଁ ତ ମା’ଙ୍କ କଥାମାନି ବାପାଙ୍କୁ ଭାତ ଦେଲି, ସେ ହସିଲେ କାହିଁକି ? ମୋର ଅବା ଆଉ କଅଣ ବ୍ୟବହାରରେ ଖରାପ ହେଲା ଯେ ବାପା ହସିଲେ ।”

 

ଏହିପରି ନାନା କଥା ଭାବି ସେ ଯାଇ ଗୋଟିଏ ଅନ୍ଧାର ଘରେ ମୂଷାମାଟିରେ ଶୋଇ କାନ୍ଦିବାକୁ ଲାଗିଲା । ରାଣୀ ଆସି ଦେଖିଲେ ରାଜା ଖାଇସାରି ଗଲେଣି । ଝିଅ ନାହିଁ । ଝିଅକୁ ଡାକି ଡାକି ସେ ନ ପାଇ ବଡ଼ ବ୍ୟସ୍ତ ହେଲେ । ଶେଷକୁ ତାଙ୍କର ଜଣେ ଦାସିକୁ ପଠାଇଲେ । ଦାସୀ ଏ ଘର ସେ ଘର ବୁଲି ଖୋଜିଲା । ବହୁତ ଖୋଜି ଖୋଜି ଶେଷରେ ଦେଖିଲା ଯେଉଁ ଘର ଗଧ ଘୁଷୁରି ବି ଦଣ୍ଡେ ରହିବାକୁ ମନ ନ କରିବେ, ସେ ଘରେ କୃଷ୍ଣତୁଳସୀ କାନ୍ଦୁଛି । ରଜାଘର ଝିଅ । ପୁଣି ଯାହା ଦେହରେ ଧୁଳି ମଳି ଲାଗି ନଥିଲା, ତାକୁ ଏପରି ଅବସ୍ଥାରେ ଦେଖି ଦାସୀ ବଡ଼ ବ୍ୟସ୍ତ ହୋଇ ପଡ଼ିଲା । କାରଣ ସେ ତ ସାମାନ୍ୟ ଦାସୀ । ଏ ଅବସ୍ଥାରେ ରାଜଜେମାକୁ କିଛି ସେ କହିବାକୁ ସାହସ କଲା ନାହିଁ । କାଳେ ଆଳୁ ଖୋଳୁ ଖୋଳୁ ଜିଆଁ ବାହାରିବେ । ତେଣୁ ସେ ରାଣୀଙ୍କୁ କହିବାକୁ ଚାଲିଗଲା ।

 

ଏ କଥା ଶୁଣି ରାଣୀ କାନ୍ଦି ପକାଇଲେ । ସେ ଦାସୀ ସାଙ୍ଗରେ ଆସି ଝିଅକୁ ଏପରି ଅବସ୍ଥାରେ ଦେଖି ତାକୁ ତଳୁ ଉଠାଇ ଆଣି ନିଜ ପଣତ କାନିରେ ଆଖିରୁ ଲୁହ ପୋଛି ଦେଇ କ’ଣ ହୋଇଛି ପଚାରିଲାରୁ କହିଲା ଲୋ ମା, ତୋର କ’ଣ ଦରକାର କହ ? ହଜିଯାଇଥିଲେ ଖୋଜାଇ ଦେବି, ଭାଙ୍ଗି ଯାଇଥିଲେ ଗଢ଼ାଇ ଦେବି କିମ୍ବା କେହି ଅପମାନ ଦେଇଥିଲେ ରାଜାଙ୍କୁ କହି ତାକୁ ବଳୀ ଚଢ଼େଇ ଦେବି । ଏହା ଶୁଣି ଝିଅ କହିଲା ମା ! ନିଜ ଆଙ୍ଗୁଠିରେ ଯେବେ ବଥା ହୁଏ ତା ହେଲେ କଅଣ କରିବ ? ତହୁଁ ରାଣୀ ଝିଅକୁ ଆଙ୍ଗୁଠିକୁ ଔଷଧ ଦେଇ ଭଲ କରିଦେବା କହି ବୁଝାଇ ପଚାରିବାରୁ ଝିଅ କହିଲା ମତେ କେହି କିଛି କହିନାହାନ୍ତି କିମ୍ବା ମୋର ଅନ୍ୟ କିଛି ହୋଇନି-। ଯାହା ହୋଇଛି ତା ମୂଳରେ ହେଉଛନ୍ତି ମୋର ଜନ୍ମଦାତା ପିତା ।

 

ଏହା ଶୁଣି ରାଣୀ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ତାଙ୍କ ମନକୁ ନାନା କଥା ଆସିଲା । ସେ ପଚାରିଲେ କ’ଣ ବାପାଙ୍କୁ ଭାତ ଦେବାରେ ବିଳମ୍ବ କଲୁ କି ? ବାପା କ’ଣ ଗାଳିଦେଲେ ନାଁ ମାଡ଼ ମାରିଲେ ?

 

ଜେମା କଇଁ କଇଁ ହୋଇ କହିଲା–ତା ତ ହୋଇଥିଲେ ଭଲ ହୋଇଥାଆନ୍ତା ।

 

ରାଣୀ ତାର ଆଖିରୁ ଲୁହ ପୋଛି ଦେଇ କହିଲେ–କ’ଣ ହେଲା କହୁନୁ ? ମୁଁ ଜାଣିଲେ ସିନା ତାର ପ୍ରତିକାର କରାନ୍ତି ।

 

ତହୁଁ କୃଷ୍ଣତୁଳସୀ କହିଲା–ମା ! ତାର ପ୍ରତିକାର କରି ହେବ ନାହିଁ । ଏହାପରେ ରାଣୀ ଜିଗର କରିବାରୁ କୃଷ୍ଣତୁଳସୀ ତାଙ୍କୁ ସବୁ କଥା କହିଲା । ରାଣୀ ସବୁ ଶୁଣି ଝିଅକୁ ବୁଝେଇ ସୁଝେଇ ଘରକୁ ନେଲେ ।

 

ତା’ପରେ ରାଣୀ ଏକଥା ଯାଇ ରାଜାଙ୍କୁ ପଚାରିଲେ । ରାଜା ଏକଥା ଶୁଣି ମନେ ମନେ ରାଗି ନିଆଁ ହୋଇଗଲେ । ସେ ଭାବିଲେ ଯେଉଁ ଝିଅକୁ ଖୋଇ ନ ଦେଲେ ସେ ଖାଉ ନଥିଲା ସେ ଆଜି ମତେ ଭାତ ପରିଶିବାରୁ ମୁଁ ତାର ପିଲାଦିନ କଥା ମନେ ପକାଇ ଟିକିଏ ହସିଥିଲି । ଏ କଥାକୁ ମା ଆଗରେ କହି ମାଆର ମନରେ ମୋ ପ୍ରତି କୁଭାବ ଜନ୍ମେଇଲା । ମୁଁ ତ କୌଣସି ଖରାପ ଭାବ ନେଇ ହସି ନ ଥିଲି । ତେଣୁ ତାକୁ ଆଉ ମୋ ରାଜପୁରୀରେ ସ୍ଥାନ ଦେବି ନାହିଁ । ମନେ ମନେ ଏହା ଭାବି ସ୍ଥିର କଲେ ଯେ, ଆଜି ରାତି ପାହିଲେ, ସକାଳୁ ଉଠି ଯାହାକୁ ଦୁଆର ମୁହଁରେ ଭେଟିବି ତା ସହିତ ଏହାର ବିବାହ କରାଇ ଦେବି । ସେ ପିଲା ହେଉ ବା ବୁଢ଼ା ହେଉ, ସୁନ୍ଦର ହେଉ ବା ଅସୁନ୍ଦର ଓ ରୁଗଣ ହେଉ, ସେ ପ୍ରତି ବିଚାର କରିବି ନାହିଁ । ଏ ଝିଅ ମୁହଁ ଆଉ ଚାହିଁବି ନାହିଁ । ସେଦିନ ଆଉ ରାଜା ଖାଇଲେ ନାହିଁ । ରାଣୀ ମଧ୍ୟ ଝିଅ ଦୁଃଖରେ ଦୁଃଖୀ ହୋଇ ନଖାଇ ରହିଲେ । ରଜାଙ୍କ ମନରେ ତ ଏସବୁ ଚିନ୍ତା ପୁରି ରହିଥାଏ । ସେ ନିଦରେ ମଧ୍ୟ ଶୋଇ ପାରିଲେ ନାହିଁ ।

 

ରଜାଙ୍କ ଉଆସ ଆଗରେ ମନ୍ତ୍ରୀଙ୍କ ଘର । ମନ୍ତ୍ରୀଙ୍କର ଗୋଟିଏ ଛୋଟପୁଅ–ବୟସ ତାର ଚାରିବର୍ଷ । ସେ ପ୍ରତିଦିନ ବଡ଼ି ସକାଳୁ ଉଠି ବାହାରକୁ ଚାଲିଆସେ ।

 

ରାତି ପାହିଲେ । କୁଆ କୋଇଲି ବୋବାଇଲେ । ରଜାତ ତାଙ୍କ ପଣ ପୂରଣ କରିବାକୁ ବ୍ୟସ୍ତ ହେଉ ଥାଆନ୍ତି । ସେ ଉଠିପଡ଼ି ବାହାରକୁ ଆସିବା ମାତ୍ରେ ଦେଖିଲେ ମନ୍ତ୍ରୀଙ୍କର ସେଇ ଛୋଟ ପୁଅଟିକୁ ।

 

ତାହାପରେ ରଜା ମନ୍ତ୍ରୀଙ୍କୁ ଡକେଇ ନେଇ ସବୁକଥା କହିଲେ । କହିଲେ, କାଲି ମୁଁ ପଣ କରିଥିଲି ଯେ, ସକାଳୁ ଉଠି ଯାହା ମୁହଁ ଚାହିଁବି ମୋର ଝିଅ କୃଷ୍ଣତୁଳସୀର ବିବାହ ତା ସହିତ କରିବି । ଆଜି ସକାଳୁ ମୁଁ ଉଠି ଯେମିତି ବାହାରକୁ ଆସିଛି, ତୁମ ଛୋଟ ପୁଅଟିକୁ ଦେଖିଲି । ତେଣୁ କୃଷ୍ଣତୁଳସୀର ବିବାହ ତା ସହିତ କରିବି । ତା ନାମ କ’ଣ ଦେଇଛ ?

 

ତହୁଁ ମନ୍ତ୍ରୀ କହିଲେ ତାର ନାଁ ଧୀରେନ୍ଦ୍ର କୁମାର । ଏ ବିଭାଘର କିପରି ହେବ । ଧୀରେନ୍ଦ୍ର ଯେ ଚାରି ବର୍ଷର ପିଲା ।

 

ରଜାତ ଅବୁଝା । ଏକଥା ଶୁଣି ରାଗି ଯାଇ କହିଲେ—ମୋର ଆଦେଶ ତୁମେ ଶୀଘ୍ର ବିଭାଘର କରାଇ ସେ ଝିଅକୁ ନେଇଯାଅ ।”

 

ମନ୍ତ୍ରୀ ବା କରନ୍ତି କ’ଣ । ବାଧ୍ୟ ହୋଇ ଘରକୁ ଫେରିଲେ । ମନ୍ତ୍ରୀଙ୍କ ସ୍ତ୍ରୀ ମନ୍ତ୍ରୀଙ୍କଠାରୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ମାତ୍ର ଉପାୟ କ’ଣ । ରଜା କ’ଣ ବୁଝିବେ । ଯିଏ ଏକଥା ଶୁଣିଲା ତା ମନକୁ ଗଲାନି । ମାତ୍ର ରାଜାଙ୍କ ଭୟରେ କେହି କିଛି କହିଲେ ନାହିଁ ।

ପରଦିନ ସକାଳୁ ରାଜା ମନ୍ତ୍ରୀଙ୍କୁ ଡକାଇ ଦିନ ବାର ଧରି ବିଭାଘରର ଯୋଗାଡ଼ କଲେ-। ବିଭାଘର ଦିନ ସକାଳୁ ବାଜା ବାଜି ରାଇଜ ଉଛୁଳି ପଡ଼ିଲା । ଷୋଳବରଷର ଝିଅ କୃଷ୍ଣତୁଳସୀ ସହିତ ଚାରିବର୍ଷର ପିଲା ଧୀରେନ୍ଦ୍ର କୁମାରର ବିଭାଘର ହୋଇଗଲା । ମାତ୍ର ଏତେ ଆନନ୍ଦ ଭିତରେ କୃଷ୍ଣତୁଳସୀର ମନରେ ଟିକିଏ ହେଲେ ଆନନ୍ଦ ନ ଥାଏ । ସେ ଲାଜରେ ବାହାରକୁ ମୁହଁ ଦେଖାଇପାରେ ନାହିଁ । ପିଲାଟିକୁ ନେଇ ସେ ଘର ଭିତରେ ସବୁବେଳେ ଥାଏ । ଯେ ଦେଖେ, ଯେ ଶୁଣେ ସେ ମନେ ମନେ ବ୍ୟସ୍ତ ହୁଏ ରଜାଙ୍କୁ ନିନ୍ଦା କରେ ।

ଏହିପରି କିଛିଦିନ ଗଲାପରେ ଦିନେ କୃଷ୍ଣତୁଳସୀ ମନେ ମନେ ଭାବିଲା, ଏଠୁଁ କେମିତି ପଳେଇ ନ ଗଲେ ଏ ଅପବାଦରୁ ତରି ପାରିବ ନାହିଁ । ଏଠି ସିନା ସମସ୍ତେ ଆମକୁ ଜାଣନ୍ତି । ଯେଉଁ ଦେଶରେ ଆମକୁ କେହି ଜାଣନ୍ତି ନାହିଁ କି ଚିହ୍ନନ୍ତି ନାହିଁ ସେ ଦେଶକୁ ଚାଲିଗଲେ ବେଶ ଶାନ୍ତିରେ ରହିବି । ଏହା ଭାବି କୃଷ୍ଣତୁଳସୀ ରାତିରେ ଯାଇ ଘୋଡ଼ାଶାଳାରେ ପହଞ୍ଚିଲା । ସେଠି ଗୋଟିଏ ପକ୍ଷୀରାଜ ଘୋଡ଼ାକୁ କହିଲା—ତୁ ମୋର ଗୋଟିଏ ଉପକାର କରି ପାରିବୁ । ଏ ରାତି ଭିତରେ ମୋତେ ଓ ଏ ପିଲାଟିକୁ ନେଇ ମଗଧ ରାଜ୍ୟରେ ଛାଡ଼ି ଦେଇ ତୋ ଜାଗାକୁ ତୁ ଫେରି ଆସିବୁ । କେହି ଯେପରି ଜାଣି ନ ପାରିବେ । ତହୁଁ ଘୋଡ଼ା ତା ପିଠି ଦେଖାଇ ଦେଲା । କୃଷ୍ଣତୁଳସୀ ତା ବର ଧୀରେନ୍ଦ୍ର କୁମାରକୁ ନେଇ ଘୋଡ଼ା ପିଠିରେ ବସିଲା । ଘୋଡ଼ା ଉଡ଼ିଯାଇ ସେମାନଙ୍କୁ ଛାଡ଼ି ଦେଇ ରାତି ଭିତରେ ଫେରି ଆସିଲା ।

କୃଷ୍ଣତୁଳସୀ ପିଲାଟିକୁ ନେଇ ରାସ୍ତାପାଖ ଗୋଟିଏ ଆମ୍ବଗଛ ମୂଳରେ ବସିଥାଏ । ଗୋଟିଏ ବୁଢ଼ା ବ୍ରାହ୍ମଣ ସେ ବାଟେ ଯାଉଁ ଯାଉଁ ତାକୁ ଦେଖିଲା । ତହୁଁ ବୁଢ଼ା ବ୍ରାହ୍ମଣ ତା ପାଖକୁ ଯାଇ ପଚାରିବାରୁ କୃଷ୍ଣତୁଳସୀ କହିଲା–ମଉସା ! ମୁଁ ଗୋଟିଏ ଅଭାଗିନୀ–ମୋ କଥା ସବୁ କହିଲେ ଦିନ ଯାଇ ରାତି ହେଲେବି ସରିବନି । ଯଦି ଏ ପିଲାଟି ପାଇଁ କିଛି ଦୁଧ ଆଣି ଦିଅନ୍ତ ତାହେଲେ ଧର୍ମ ହେବ । ଏ କଥା ଶୁଣି ବ୍ରାହ୍ମଣ ସେମାନଙ୍କୁ ନେଇ ତା ଘରକୁ ଗଲା ।

 

ସେ ବ୍ରାହ୍ମଣ ବ୍ରାହ୍ମଣୀଙ୍କର କିଛି ପିଲାପିଲି ନ ଥାନ୍ତି । ଏମାନଙ୍କୁ ଦେଖି ଓ ବ୍ରାହ୍ମଣ ଠାରୁ ଶୁଣି ବ୍ରାହ୍ମଣୀ ବଡ଼ ଖୁସି । ବ୍ରାହ୍ମଣ ଦୁଧ ଆଣିବାକୁ ଗଲା । ଏଣେ ବୁଢ଼ୀ କୃଷ୍ଣତୁଳସୀ ପାଖରେ ବସି ତା ପରିଚୟ ପଚାରିଲା ।

 

କୃଷ୍ଣତୁଳସୀ କହିଲା—ମା ! ଆମ ଦୁଃଖ କ’ଣ କହିବି । ଆମେ କ୍ଷତ୍ରିୟ ଘରର ପିଲା । କର୍ମ ଦୋଷରୁ ବାପା ମା ଘରୁ ତଡ଼ି ଦେଲେ । ଏ ପିଲାଟିର ବାପା ମା କେହି ନାହାନ୍ତି । ଏ ମୋ ପାଖରେ ସବୁବେଳେ ଥାଏ । କାହାର ପାଖରେ ନ ରହି ମୁଁ ଆସିବାରୁ ମୋ ସାଙ୍ଗରେ ବାହାରିଲା । ଏତିକି ବେଳେ ବ୍ରାହ୍ମଣ ଖିର ଘେନି ଆସି ପିଲାଟିକୁ ଖାଇବାକୁ ଦେଲା । ବୁଢ଼ା ବୁଢ଼ୀ କଥାବାର୍ତ୍ତା ହେଲେ । କହିଲେ ଏ ପିଲାକୁ ଆମ ଘରେ ରଖିବା । ବୁଢ଼ୀ କହିଲା, ଏ ଝିଅ ତା ଦୁଃଖ ସବୁ ମୋ ଆଗରେ କହି ସାରିଲାଣି । ମୁଁ ଏହାକୁ ଧରମ ଝିଅ କରିବି । ଏ କଥା ଶୁଣି ବୁଢ଼ୀ ଛାତି ମୋଟ । ସେ ସରଗ ଚାନ୍ଦକୁ ଆପଣା ହାତରେ ପାଇଲା ପରି ମନେ କଲା । ବୁଢ଼ା ବ୍ରାହ୍ମଣ ଘରେ ସେମାନେ ସୁଖରେ ରହିଲେ ।

 

ସେଇ ଗାଁର ଆଉ ଗୋଟିଏ ସ୍ତ୍ରୀ ଲୋକ—ବୟସ ପଚାଶରୁ ଊର୍ଦ୍ଧ୍ଵହେବ । ସେ ବ୍ରାହ୍ମଣ ଘରେ ବାସନ ପ୍ରଭୃତି ମଜାମଜି କରେ ଏବଂ ଧାଈକାମ କରେ । ପିଲାଟି ସବୁବେଳେ ତା ପାଖରେ ରହେ । ସେ ମଧ୍ୟ ମନ୍ତ୍ରୀ ପୁଅକୁ ନେଇ ଗାଁରେ ବୁଲେ । ଏହିପରି ମନ୍ତ୍ରୀ ପୁଅ ଧାଈକୁ ଆପଣା ମାଆ ପରି ମଣି ତା ପାଖରେ ରହିଲା ।

 

ମନ୍ତ୍ରୀପୁଅକୁ ଛଅ ବର୍ଷ ହୋଇଯିବାରୁ କୃଷ୍ଣତୁଳସୀ ନିଜ ଗହଣା ପତ୍ର ବିକି ତାକୁ ପାଠ ପଢ଼େଇଲା । ଏହା ପରେ କୃଷ୍ଣତୁଳସୀ ତାର ଗହଣାପତ୍ର ବିକି ଖଣ୍ଡିଏ କୋଠା କରି ସେଠି ତାର ସ୍ଵାମିକୁ ରଖେଇଲା ।

 

ସେଠାରେ ଗୋଟିଏ ଚଣ୍ଡୀ ମନ୍ଦିର ଥାଏ । କିନ୍ତୁ ତାଙ୍କୁ କେହି ପୂଜା କରନ୍ତି ନାହିଁ । ଦିନେ ରାତିରେ ସେ ଠାକୁରାଣୀ କୃଷ୍ଣତୁଳସୀକୁ ତାହାକୁ ପୂଜା କରିବା ପାଇଁ ସ୍ଵପ୍ନରେ କହିଲେ ।

 

କୃଷ୍ଣତୁଳସୀ ସେହିଦିନ ଠାରୁ ସେଠାରେ ପୂଜା କରେ । ଏହିପରି କିଛିଦିନ ଯିବାରୁ ଦିନେ ଠାକୁରାଣୀ ସ୍ଵପ୍ନରେ କହିଲେ—କୃଷ୍ଣତୁଳସୀ ମୁଁ ତୋ ଉପରେ ବଡ଼ ଖୁସି ହୋଇଛି । ତୁ ତୋର ନୂଆ ଘରେ ରହ । ମୁଁ ସବୁବେଳେ ତୁମକୁ ଜଗି ରହିଥିବି । ସେଠାରେ ପ୍ରତିଦିନ ଯୋଡ଼ିଏ ଭୂତ ତତେ ଜଗି ରହିବେ ଏବଂ ତୁ ଯାହା ମାଗିବୁ ତତେ ତାହା ଦେବେ ।

 

ତା ପରଦିନ କୃଷ୍ଣତୁଳସୀ ବ୍ରାହ୍ମଣ ବୁଢ଼ା ବୁଢ଼ୀଙ୍କୁ ସବୁକଥା କହିଲା ଏବଂ ଯାଇଁ ନୂଆ କୋଠା ଘରେ ତାର ସ୍ଵାମୀ ସହିତ ରହିଲା । ତାର ଯେତେବେଳେ ଯେ ଜିନିଷ ଦରକାର ପଡ଼େ ସେ ଭୂତଙ୍କୁ କହେ ଏବଂ ଭୂତ ଦୁଇଟି ସେ ଜିନିଷ ଆଣିଦିଅନ୍ତି ।

 

ଧୀରେନ୍ଦ୍ର କୁମାରର ସାଙ୍ଗ ପିଲାମାନେ ତାକୁ ଡାକି ଖାଇବାକୁ ଦିଅନ୍ତି । ମଠା ପାଟ ଲୁଗାମାନ ପିନ୍ଧାନ୍ତି । ଏ କଥା କୃଷ୍ଣତୁଳସୀ ଜାଣିପାରି ସେମାନଙ୍କୁ ମଧ୍ୟ ଡାକିଲା । କ୍ରମେ କ୍ରମେ ସମସ୍ତେ ଜାଣିଲେ ଯେ ଏଠାରେ ଜଣେ କିଏ ବଡ଼ ଲୋକ ଅଛି । କୃଷ୍ଣତୁଳସୀ ଓ ଧୀରେନ୍ଦ୍ର କୁମାର ମଧ୍ୟ ବଡ଼ ଖୁସିରେ ଚଳିଲେ । ତାଙ୍କର ଆଉ କିଛି ଅଭାବ ରହିଲା ନାହିଁ ।

 

ଦିନେ ଧୀରେନ୍ଦ୍ର କୁମାର କୃଷ୍ଣତୁଳସୀକୁ ପଚାରିଲା, ମୁଁ କିଏ ଓ ତୁମେ ମୋର କଅଣ ହେବ କହିପାରିବ କି ? ସେତେବେଳେ ଧୀରେନ୍ଦ୍ର କୁମାରର ବୟସ କୋଡ଼ିଏ ବର୍ଷ । ବହୁତ ପାଠ ପଢ଼ିଥାଏ । କୃଷ୍ଣତୁଳସୀ ସବୁ କଥା ତାକୁ କହିଲା । ତା ପରଦିନ ବ୍ରାହ୍ମଣ ବୁଢ଼ା ବୁଢ଼ୀଙ୍କୁ ଡକାଇ ତାଙ୍କର ପୁନର୍ବିବାହ ହେଲା । ବୁଢ଼ା ବୁଢ଼ୀଙ୍କ ଆନନ୍ଦ କହିଲେ ନସରେ । ବହୁତ ଭଦ୍ରଲୋକ ନିମନ୍ତ୍ରଣ ହୋଇ ଆସିଲେ । ବଡ଼ ଆନନ୍ଦରେ ଦିନ କଟିଗଲା ।

 

ଦିନେ ମନ୍ତ୍ରୀପୁଅ ପଚାରିଲା—ଆମ ଦେଶରେ ଆଉ ଆମର କିଏ ଅଛି ?

 

କୃଷ୍ଣତୁଳସୀ କହିଲା–ଆମେ ତ ବହୁ ବର୍ଷ ହେଲା ଆସିଲେଣି । କିଏ ଅଛି କି ନାହିଁ କିପରି ଜାଣିବା । ତେବେ କାଲି ସକାଳୁ ତୁମେ ଶୁଣି ପାରିବ ।

 

ସେଦିନ ରାତି ହେବାରୁ କୃଷ୍ଣତୁଳସୀ ଜଣେ ଭୂତକୁ ରଜା ଘରକୁ ତା ନିଜ ରାଇଜକୁ ପଠାଇଲା । କହିଲା, ତୁ ବର୍ତ୍ତମାନ ଯାଇ ରାତି ଭିତରେ ସବୁ ଦେଖି ଆସି କହିବୁ । ଭୂତ ଫେରି ଆସି କୃଷ୍ଣତୁଳସୀକୁ କହିଲା ରାଜ୍ୟରେ ସବୁ ଭଲ, ମାତ୍ର ମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ତ୍ରୀ ସବୁବେଳେ ତାଙ୍କର ପୁଅ ହଜିବା କଥା ଭାବୁଛନ୍ତି । ଏକଥା ପରଦିନ ସକାଳେ କୃଷ୍ଣତୁଳସୀଠାରୁ ଶୁଣି ଧୀରେନ୍ଦ୍ର କୁମାର ମା ବାପାଙ୍କୁ ଦେଖିବା ପାଇଁ କହିଲା । ମାତ୍ର କୃଷ୍ଣତୁଳସୀ କହିଲା–ଯେଉଁ ରାଜ୍ୟ ଛାଡ଼ି ଚାଲିଆସିଛେ ଆଉ ସେଠାକୁ ଯିବା ନାହିଁ । ବାପା ମାଙ୍କୁ ଦେଖିବା ପାଇଁ ସେ ରାଜ୍ୟଟାକୁ ଏଠାକୁ ନେଇ ଆସିବା ।

 

ଧୀରେନ୍ଦ୍ର କୁମାରକୁ ଏକଥା ବଡ଼ ଆଶ୍ଚର୍ଯ୍ୟ ବୋଧ ହେଲା । ସେ କହିଲା, ଏହା କ’ଣ ସମ୍ଭବ । ତହୁଁ କୃଷ୍ଣତୁଳସୀ କହିଲା, ରାତିକ ଭିତରେ ଯଦି ସେ ରାଜ୍ୟର ଖବର ଶୁଣି ପାରିଲ ତାହେଲେ ଏହା ସମ୍ଭବ ନହେବ କାହିଁକି ? ଯେମିତି ଏ ଖବର ରାତିକ ଭିତରେ ଆସିଛି ସେମିତି ଏକାରାତିକେ ସେ ରାଜ୍ୟଟା ମଧ୍ୟ ଉଠି ଆସିପାରିବ । ମନ୍ତ୍ରୀପୁଅ କହିଲା, ହଉ କ’ଣ କରୁଛ କର ।

 

ସେଦିନ ରାତିରେ ରଜାଝିଅ ଭୂତକୁ ଡାକି କହିଲା—ସେଦିନ ଯେଉଁ ରାଜ୍ୟକୁ ଯାଇଥିଲ, ଆଜି ରାତି ଭିତରେ ତୁମ ଭୂତ ଭାଇମାନଙ୍କୁ ସାଙ୍ଗରେ ନେଇ ରାଜ୍ୟର ଧାନ ଭଣ୍ଡାର, ଘୋଡ଼ା, ହାତୀ, ଗାଈଗୋରୁ ସବୁ ନେଇ ଆସ ।

 

ଏତ ମଣିଷ କାରବାର ନୁହେଁ–ଭୂତ ପ୍ରେତଙ୍କ କାରବାର । ଘଡ଼ିକ ଭିତରେ ଯେତେ କେଉଁଠି ଭୂତ ଥିଲେ ସମସ୍ତେ ଏକାଠି ହୋଇଗଲେ । ସମସ୍ତେ ପବନ ବେଗରେ ଯାଇ ଅମ୍ବୁଜବାହନଙ୍କ ରାଜ୍ୟରେ ପହଞ୍ଚିଲେ । ଯେତେ ଯେଉଁଠି ଧନରତ୍ନ ଆଦି ଥିଲା ସବୁ ବୋହି ଆଣି କୃଷ୍ଣତୁଳସୀଙ୍କ ଘରେ ଜମା କରିଦେଲେ । ସକାଳୁ ଉଠି କୃଷ୍ଣତୁଳସୀ ଓ ଧୀରେନ୍ଦ୍ର କୁମାର ଦେଖନ୍ତି ତ ସବୁଆଡ଼େ ଜିନିଷପତ୍ର ଜମା ହୋଇଛି–ଧନରତ୍ନରେ ଘର ପୁରି ଉଠିଚି । ସେଠାରେ ସେମାନେ ଏକ ସୁନ୍ଦର ଉଆସ ତୋଳାଇ ରହିଲେ ।

 

ରାଜା ରାଣୀ ସକାଳୁ ଉଠି ଦେଖିଲାବେଳକୁ ଉଆସ ଖାଲି । ଧନଦରବ ତ ଦୂରର କଥା ଖାଇବାକୁ ଗଣ୍ଡେ ଦାନା ବି ନାହିଁ–ଗୋରୁଗାଈ, ହାତୀ ଘୋଡ଼ା ମଧ୍ୟ ନାହାନ୍ତି । ବହୁତ ଖୋଜା ଖୋଜି ଚାଲିଲା । ହେଲେ କ’ଣ ହେବ । ଚୋର ନେଇଥିଲେ ସିନା ପାଆନ୍ତେ । ଏ ତ ଶୂନ୍ୟପୁରୁଷ–ଶୂନ୍ୟେ ଶୂନ୍ୟେ ସାତ ସମୁଦ୍ର ତେର ନଈ ପାର କରି ନେଇଯାଇଛନ୍ତି । ଶେଷକୁ ଚୁପ ହୋଇ ରହିଲେ ଚାକର ବାକର ଗୁଡ଼ାକ ସମସ୍ତେ ଖାଇବାକୁ ନ ପାଇ ଯେ ଯୁଆଡ଼େ ପଳାଇଲେ । ରାଜା ରାଣୀ ମନ୍ତ୍ରୀ ଉଆସକୁ ଯାଇ ଗଣ୍ଡେ ଖାଇ ପଡ଼ି ରହିଲେ ।

 

ମନ୍ତ୍ରୀପୁଅ ରାଜା ଝିଅକୁ କହିଲା; ଧନରତ୍ନ ସିନା ପାଇଲେ, ହେଲେ ବାପା ମାଆଙ୍କୁତ ପାଇଲେ ନାହିଁ । ରଜା ଝିଅ କହିଲେ—ଆଉ କିଛିଦିନ ଥୟ ଧରି ରୁହ, ସବୁ ଏକାଠି ପାଇବା ।

 

ଏହାପରେ କୃଷ୍ଣତୁଳସୀ ବ୍ରାହ୍ମଣ ମଉସାକୁ ଡକାଇ କହିଲା ଯେ ସେ ଚଣ୍ଡୀଙ୍କ ପାଖରେ ଗୋଟିଏ ବଡ଼ ପୋଖରୀ ତୋଳାଇବା । ସଙ୍ଗେ ସଙ୍ଗେ ଚାରିଆଡ଼େ ନାଗରା ଦିଆଗଲା ଯେ ଯେଉଁମାନେ ମାଟି ଖୋଳିବେ ସେମାନେ ଖାଇ ପିଇ ଦିନକୁ ଦୁଇଟଙ୍କା ଲେଖାଏଁ ମୂଲ ପାଇବେ । ବହୁତ କୁଲି ଜମା ହେଲେ । ପୋଖରୀ କାମ ଚାଲିଲା ।

 

ଏଣେ ରାଜା ଅମ୍ବୁଜବାହନ ରାଣୀଙ୍କୁ ଧରି ମନ୍ତ୍ରୀଘରେ ଦି’ଟା ଖାଇ ପଡ଼ିଥିଲେ । ରାଜାଙ୍କ ଯୋଗୁଁ ତ ମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ତ୍ରୀ ତାଙ୍କର ଚାରିବର୍ଷର ପିଲାକୁ ଛାଡ଼ିଥିଲେ । ତେଣୁ ସେମାନେ ରାଜାଙ୍କୁ ଭଲ ପାଉନଥିଲେ । କିଛିଦିନ ଖାଇବାକୁ ଦେବାପରେ ଖୋରାକି ବନ୍ଦ କରି ବାହାର କରିଦେଲେ । ରାଜାରାଣୀ ରାଇଜରେ ମାଗି ଖାଇଲେ–ଗଛମୂଳେ ଶୋଇଲେ । ତାଙ୍କ ଦୁଃଖ କହିଲେ ନସରେ ।

 

ଦଇବ ଯୋଗକୁ ଦିନେ କୃଷ୍ଣତୁଳସୀ ଭୂତକୁ ଡାକି କହିଲେ, ଯେଉଁ ରାଜା ଧନ ଏଠାକୁ ବୋହି ଆଣିଥିଲ, ସେ ରାଜା ଓ ରାଣୀଙ୍କୁ ରାତିକ ଭିତରେ ଏଠାକୁ ନେଇଆସି କୁଲିଙ୍କ ଘର ଦାଣ୍ଡରେ ଶୋଇଦେବ ।

 

ଭୂତଙ୍କୁ ତ ତିନିକାଳ କଥା ଜଣା, ତାଙ୍କୁ ଚାରିଦିଗ ଦେଖାଯାଏ । ଯେଉଁ ଗଛତଳେ ସେଦିନ ରାଜାରାଣୀ ଶୋଇଥିଲେ ହୁକୁମ ମାତ୍ରେ ଯାଇଁ ସେଠି ହାଜର । ରାତାରାତି ସେମାନଙ୍କୁ ଆଣି କୁଲି ଦାଣ୍ଡରେ ଶୁଆଇଲେ ।

 

ସକାଳୁ ଉଠି ରାଜା ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ । ଭାବିଲେ ତାଙ୍କୁ ବୋଧେ ଭୂତ ଉଠାଇ ଆଣିଛି । ରାଣୀ କହିଲେ–ଆମେ ଆଉ କୁଆଡ଼େ କାହିଁକି ଯିବା, ଏଇଠିତ କାମ କଲେ ଖାଇ ପିଇ କିଛି ଟଙ୍କା ପାଇବା । ରାଜା ରାଣୀ ତ ଖାଇବାକୁ ପାଉନଥିଲେ । ରାଜାଙ୍କର ମନକୁ ରାଣୀଙ୍କ କଥା ବେଶ ପାଇଲା । ସେଠାରେ ବାସ କରି ରହିଲେ । ଯେଉଁ ମୁଣ୍ଡରେ ରାଜମୁକୁଟ ସେ ମୁଣ୍ଡରେ କ’ଣ ମାଟି ବୋଝ ବୋହି ହେବ ? ଦିନେ ଦୁଇଦିନ ପରେ ରାଜା ରାଣୀଙ୍କ ଅବସ୍ଥା ଅତି ଖରାପ ହୋଇଗଲା ।

 

କୃଷ୍ଣତୁଳସୀ ସାତଦିନରେ ଥରେ ଯାଇ କୁଲି ଘରେ ସବୁ ଦେଖନ୍ତି । ଦିନେ ସେ କୁଲିଙ୍କ ମଧ୍ୟରେ ରାଜା ରାଣୀ ଦୁଇଜଣଙ୍କୁ ଦେଖିଆସି ବ୍ରାହ୍ମଣ ମଉସାକୁ ଡକାଇ କହିଲେ ଯେ କୁଲିଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ନାରୀ ଅତି ରୁଗଣ । ସେ ଦୁଇଜଣଙ୍କୁ କାମରେ ନ ଲଗାଇ ବସାଇ ଖାଇବାକୁ ଦେବ । ଏହାପରେ ବ୍ରାହ୍ମଣ ସେ ଦୁଇଜଣକୁ ଖାଲି ବସାଇ ଖାଇବାକୁ ଦେଲା—ସେହି ଦିନଠାରୁ ରାଜା ରାଣୀଙ୍କୁ ଆଉ କାମ କରିବାକୁ ପଡ଼େ ନାହିଁ । ଦିନେ ରାତିରେ ରାଜା ରାଣୀଙ୍କୁ କହିଲେ—ମୁଁ ଶୁଣୁଚି, ଯେ ଏ ପୋଖାରୀ ଖୋଳାଉଛି ସେ ଜଣେ ମହାପୁରୁଷ । ଭଗବାନ ଏପରି ଲୋକର ମଙ୍ଗଳ କରନ୍ତୁ । ତହୁଁ ରାଣୀ କହିଲେ ଚାଲ ଆମେ ତାଙ୍କ ପାଖକୁ ଯାଇ ଆମ ଦୁଃଖ ଜଣାଇବା—ଆଉ କେତେଦିନ ଏପରି ବସି ଖାଇବା । ଆମକୁ ସେ କିଛି ହାଲୁକା କାମ ଦେବେ । ଏହି କଥା ଠିକ କରି ରାଜା ରାଣୀ ବ୍ରାହ୍ମଣକୁ କହିଲେ । ବ୍ରାହ୍ମଣ ସେମାନଙ୍କୁ ନେଇ କୃଷ୍ଣତୁଳସୀଙ୍କ ସହିତ ଦେଖା ହବାର ସୁବିଧା କରିଦେଲା । କୃଷ୍ଣତୁଳସୀ ଓ ଧୀରେନ୍ଦ୍ର କୁମାର ଏକାଠି ବସିଥିବାବେଳେ ଏ ଦୁହିଁଙ୍କି ଡାକି କୃଷ୍ଣତୁଳସୀ ପଚାରିଲେ—ସମସ୍ତେ ତ କାମ କରି ଖୁସିରେ ଅଛନ୍ତି, ତୁମେ ଏପରି ଦିନକୁ ଦିନ ଶୁଖି ଯାଉଛ କାହିଁକି ?

 

ତା ପରେ ରାଜା କହିଲେ, ମା ! ମୁଁ ଜଣେ ରାଜା ଥିଲି । ଏ ମୋ ରାଣୀ, ମୋର ପୁଅ ନ ଥିଲେ—କେବଳ ଗୋଟିଏ ବୋଲି ଝିଅ ଥିଲା । ଶ୍ରଦ୍ଧାରେ ତାକୁ କୃଷ୍ଣତୁଳସୀ ବୋଲି ଡାକୁଥିଲି । ମତେ କି ବୁଦ୍ଧି ଦିଶିଲା କେଜାଣି ତାକୁ ଗୋଟିଏ ଚାରିବର୍ଷର ପିଲା ସାଙ୍ଗରେ ବିବାହ କରିଦେଲି । ଷୋଳବର୍ଷ ବୟସର ଝିଅକୁ ଛୋଟ ପିଲାଟି ସାଙ୍ଗରେ ବିଭା କରିଦେବାରୁ ତାକୁ ଅପମାନ ହେଲା । ସେଥିପାଇଁ ସେ ତା ପିଲା ବରକୁ ନେଇ ପଳେଇଗଲା । ଯେତେ ସନ୍ଧାନ ନେଲେ ମଧ୍ୟ ତାର କୌଣସି ଖବର ପାଇ ପାରିଲି ନାହିଁ । ସେ ବଡ଼ ଲକ୍ଷ୍ମୀବନ୍ତ ଥିଲା । ସେ ଯିବା ପରେ ପରେ ମୋର ସମସ୍ତ ଧନରତ୍ନ କେଉଁଆଡ଼େ ଚାଲିଗଲା । ରାଜ୍ୟକୁ ମନ୍ତ୍ରୀ ଦଖଲ କଲା । ଶେଷକୁ ଆମେ ଭିକ ମାଗି ଖାଇଲୁ ଓ ଗଛମୂଳରେ ଶୋଉଥିଲୁ । ଦିନେ ରାତିରେ ଶୋଇଛୁ ଆମକୁ ଶୁନ୍ୟେ ଶୁନ୍ୟେ ଆଣି ଏଠି କିଏ ଛାଡ଼ି ଦେଇଗଲା । କେବେତ ଜୀବନରେ ଏପରି କଠିନ ପରିଶ୍ରମ କରି ନଥିଲୁ । ମୂଲ ଲାଗିବାରୁ କଷ୍ଟ ହେଲା । ତେଣୁ ଅବସ୍ଥା ଦିନକୁ ଦିନ ଖରାପ ହେଲା—

 

କୃଷ୍ଣତୁଳସୀ କହିଲା—ସେ ଝିଅକୁ ବର୍ତ୍ତମାନ ଚିହ୍ନି ପାରିବ ତ ? ବୁଢ଼ାଟି କହିଲା—ତା କିପରି ପାରିବି । ବହୁତ ଦିନ ହେଲା ତ ତାକୁ ଦେଖି ନାହିଁ । ତେବେ ଆମେ ବୁଢ଼ାଲୋକ କଲ୍ୟାଣ କରୁଛୁ କେବଳ ବଞ୍ଚିଥିବ କି ?

 

ଏତିକି ଶୁଣି କୃଷ୍ଣତୁଳସୀ ଆଖିରୁ ଲୁହ ଝରଝର ହୋଇ ଗଦା ହୋଇପଡ଼ିଲା । ବୁଢ଼ା ଏହା ଦେଖି କହିଲା ମା ! କାନ୍ଦିଲ କାହିଁକି ? କୃଷ୍ଣତୁଳସୀ କହିଲା—କାନ୍ଦିବାଟା କ’ଣ ତୁମକୁ ବାଧିଲା । ଏହାଠାରୁ ଯେ ଅଧିକ କାନ୍ଦିଛି । ବୁଢ଼ା କହିଲା, ମା ! ମୁଁ ଯେ କିଛି ବୁଝି ପାରୁନାହିଁ । କୃଷ୍ଣତୁଳସୀ କହିଲା—ଏବେ ସୁଦ୍ଧା ନିଜ ଧନକୁ ନିଜେ ଚିହ୍ନି ପାରୁନାହଁ—ତୁମର ସବୁ ଧନରତ୍ନ ଯେ ଏଇଠି । ମୁଁ ଯେ ତୁମର ସେହି ହତଭାଗିନୀ କନ୍ୟା—ଆଉ ଏ ଯେ ସେହି ହତଭାଗ୍ୟ ଜାମାତା । ଏତିକିବେଳେ କୃଷ୍ଣତୁଳସୀ ଓ ଧୀରେନ୍ଦ୍ର କୁମାର ବୁଢ଼ା ବୁଢ଼ୀଙ୍କ ପାଦ ଧରି ପଡ଼ିଗଲେ । ବୁଢ଼ା ବୁଢୀ ସେମାନଙ୍କୁ ଉଠେଇ ଆଣି କହିଲେ—ମା ! ତୁ କ’ଣ ଏ ବୁଢ଼ା ବୁଢ଼ୀଙ୍କ ଉପରେ ସେଇ ରାଗ ଧରି ରହିବୁ—କୃଷ୍ଣତୁଳସୀ କାନ୍ଦି କାନ୍ଦି କହିଲା—ମୋର ସବୁ ଦୋଷ କ୍ଷମା କର ମା ! ମୁଁ ତୁମମାନଙ୍କୁ ଆଉ ପାଖରୁ ଛାଡ଼ିବି ନାହିଁ । ତୁମର ଯେଉଁ ଧନଦରବ ଚୋରି ଯାଇଥିଲା ତାକୁ କେହି ନେଇ ନାହାନ୍ତି—ମୁଁ ସବୁ ସାଇତି ରଖିଛି । ମୋ ଶାଶୁ ଶଶୁର ତାଙ୍କ ପୁଅ ଲାଗି ସିନା ତୁମ ଉପରେ ରାଗ ରଖିଛନ୍ତି । ତାଙ୍କୁ ପାଇଲେ ସେ ସବୁ ଭୁଲିଯିବେ ଓ ତୁମ ରାଜ୍ୟ ତୁମକୁ ଫେରାଇ ଦେବେ । ରାଜା ରାଣୀଙ୍କ ମନକୁ ଏକଥା ବେଶ ପାଇଲା । ସମସ୍ତେ ଖୁସିରେ ରହିଲେ ।

 

ତାପରେ ମନ୍ତ୍ରୀଙ୍କ ପାଖକୁ ଖବର ଗଲା । ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀ ପୁଅ ବୋହୁଙ୍କୁ ଦେଖିବାକୁ ହାତୀରେ ଆସିଲେ । ରାଜା ଅମ୍ବୁଜବାହନ ତାଙ୍କ ହଜିଥିବା ରାଜ୍ୟ ଫେରି ପାଇଲେ । ସମସ୍ତେ ଧନଦରବ ଫେରି ପାଇଲେ । ରାଜା ଝିଅ ଜୋଇଁଙ୍କୁ ଗାଦିରେ ମାଲିକ କରି ସୁଖଶାନ୍ତିରେ ଝିଅ ଜୋଇଁଙ୍କ ମୁହଁ ଚାହିଁ ଦିନ କାଟିଲେ ।

 

ଦେଖିଲୁ ଶୁଆ ଅତି ଲୋଭର ଫଳ । ଶାରୀ ଶୁଆର କଥାରେ ରାଜି ହୋଇଗଲା । ରାଜା କୁମାର ସିଂହ ଓ ରାଣୀ ମନ୍ମଥ ଚନ୍ଦ୍ରିକା ଶୁଆ ଶାରୀଙ୍କ ଉପରେ ଭାରି ଖୁସି ହେଲେ ।

 

ଅତିମାତ୍ରା ଅନିଷ୍ଠର ମୂଳ କାରଣ ଅଟେ

Image